ଶୀତରେ ଶୁଷ୍କ ତ୍ବଚାର ଯତ୍ନ

ଶୀତରେ ଶୁଷ୍କ ତ୍ବଚାର ଯତ୍ନ

ଶୀତଦିନେ ଶରୀର ଶୁଷ୍କ ହୋଇ କଳା ପଡ଼ିବା ଏକ ସାଧାରଣ କଥା। ତେବେ କୌଣସି ପାର୍ଲର୍ ନଯାଇ କମ୍ ଖର୍ଚ୍ଚରେ କେବଳ ଘରୋଇ ଉପଚାର ଆପଣାଇ ଏହି ସମସ୍ୟାକୁ ଆପଣ ଦୂରେଇ ପାରିବେ। ଫାଳେ କାଗେଜି ଲେମ୍ବୁ ନିଅନ୍ତୁ। ଏହା ଉପରେ ଆପଣ ବ୍ୟବହାର କରୁଥିବା ଯେକୌଣସି ଶାମ୍ପୁ ଏକ ଚାମଚ ପକାନ୍ତୁ। ଏହାପରେ ଆପଣଙ୍କ ଘରେ ଥିବା କଫି ପାଉଡର୍ ମିଶାନ୍ତୁ। କଫି ନଥିଲେ ଏଥିରେ ଆପଣ ଚାଉଳ ଚୂନା ମିଶାଇ ପାରିବେ। ଏହାପରେ ଏଥିରେ ଚିମୁଟେ ବେକିଂ ସୋଡ଼ା ମିଶାନ୍ତୁ। ଏସବୁ ମିଶ୍ରଣକୁ ଏକାଠି ଗୋଟେ ପାତ୍ରରେ ମିଶାଇ ଲେମ୍ବୁ ସାହାଯ୍ୟରେ ମଧ୍ୟ ସଫା କରିପାରିବେ। ଲେମ୍ବୁରେ ଆଲର୍ଜି ଥିବା ଲୋକେ ଘିକୁଆଁରୀ ରସ ମଧ୍ୟ ବ୍ୟବହାର କରିପାରିବେ। ପ୍ରଥମେ ଆପଣଙ୍କ ଶରୀରରେ ମଇଳା ପଡ଼ିଥିବା ସ୍ଥାନକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ। ଓଦା ହୋଇଥିବା ସ୍ଥାନ ଟିକେ ଶୁଖିଗଲା ପରେ ସେଥିରେ ଏହି ମିଶ୍ରଣ ଲଗାଇ କିଛି ସମୟ ଘଷନ୍ତୁ ବା ସ୍କ୍ରବ୍ କରନ୍ତୁ। ମନେ ରଖନ୍ତୁ ଆପଣ ଏହାକୁ କେବଳ ଆପଣଙ୍କ ମୁହଁକୁ ଛାଡ଼ି ଶରୀରର ଅନ୍ୟ ଭାଗରେ ବ୍ୟବହାର କରିପାରିବେ। ମଇଳା ଛାଡ଼ିଗଲା ପରେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ ଏବଂ ଶୁଖିଗଲା ପରେ ଏଥିରେ ମଶ୍ଚରାଇଜର୍ ଲଗାଇଦିଅନ୍ତୁ 

ଗୋଟେ ମଧ୍ୟମ ଆକାରର ମହମବତିକୁ ଗ୍ରେଟ୍ କରି ଏକ ପାତ୍ରରେ ରଖନ୍ତୁ। ସେଥିରେ ଭେସ୍‌ଲିନ୍ ୨ ଚାମଚ, ଅଲିଭ୍ ତେଲ ୨ ଚାମଚ ଓ ନଡ଼ିଆ ତେଲ ୨ ଚାମଚ ମିଶାନ୍ତୁ। ଏହାପରେ ଏକ କଡ଼େଇ ବା ପ୍ୟାନରେ କିଛି ପାଣି ଦିଅନ୍ତୁ। ସେଥିରେ ଏକ ଛୋଟ ତଉଲିଆ ବା ରୁମାଲକୁ ଭାଙ୍ଗି ରଖି ସେଥିରେ ପାଣି ଦିଅନ୍ତୁ। ଏହା ଉପରେ ମିଶ୍ରଣ ପାତ୍ରକୁ ରଖି କିଛି ସମୟ ଯାଏ ଡବଲ୍‌ ବଏଲ୍‌ କରନ୍ତୁ। ମିଶ୍ରଣ ତରଳି ଗଲେ ସେଥିରେ ଗୋଟେ ଚାମଚ କର୍ଣ୍ଣଫ୍ଲୋର୍‌କୁ ଧୀରେ ଧୀରେ ମିଶାନ୍ତୁ ଏବଂ ଭଲ ଭାବେ ଗୋଳାନ୍ତୁ ଯେମିତି ସେଥିରେ ଗୋ‌ଟା ନ ରହିବ। ମିଶ୍ରଣକୁ ଥଣ୍ଡା ହେବା ପାଇଁ ପାଖାପଖି ୨୦ ମିନିଟ୍ ଛାଡ଼ିଦିଅନ୍ତୁ। ବହଳ ହେବାପରେ ଏହି କ୍ରିମ୍‌କୁ ଏକ ଡବାରେ ସାଇତି ରଖନ୍ତୁ। ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ଫଟା ଗୋଇଠି, କହୁଣି, ବେକ, ହାତ ଇତ୍ୟାଦିରେ ବ୍ୟବହାର କରିପାରିବେ। ଏହି କ୍ରିମ୍‌କୁ ପାଖାପାଖି ବର୍ଷେ ଯାଏ ଆପଣ ଷ୍ଟୋର୍ କରି ରଖିପାରିବେ।