ମା’ ଶାରଳା ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ ରାଉଳ ସେବକ

ମା’ ଶାରଳା ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ ରାଉଳ ସେବକ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିରରେ ଗୃହୀତ ହୋଇଛି ନୂଆ ନିୟମ। ମନ୍ଦିର ନିୟମରେ ସଂସ୍କାର ପାଇଁ ମନ୍ଦିର ପରିଚାଳନା କମିଟି ବୈଠକରେ ନୂଆ ନିୟମ ଗୃହୀତ ହୋଇଛି। ଏହାକୁ କାର୍ୟ୍ୟକାରୀ କରିବାକୁ କେବଳ ଜିଲ୍ଲାପାଳଙ୍କ ସ୍ୱୀକୃତିକୁ ଅପେକ୍ଷା ରହିଛି।ଗୃହୀତ ନିୟମ ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମା’ଙ୍କ ବିଗ୍ରହରୁ ଚନ୍ଦନ, ଫୁଲମାଳ ଆଣିବା ନିଷେଧ। ମା’ଙ୍କ ପୂଜା ନିମନ୍ତେ ଠାଆ ହେବା ପରେ ମନ୍ଦିର ମଧ୍ୟକୁ ପ୍ରବେଶ ନିଷେଧ।ଯାତ୍ରୀ ବା ସେମାନଙ୍କ ପିଲାମାନଙ୍କୁ ଗର୍ଭଗୃହ ମଧ୍ୟକୁ ନେବା ନିଷେଧ। ବ୍ରତ ହୋଇ ନଥିବା ପଣ୍ଡା ସେବକ ଓ ଅବିବାହିତ ରାଉଳ ସେବକ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ।ମଝିଦେଉଳ ଓ ଗର୍ଭଗୃହକୁ ମୋବାଇଲ ମନା। କେହି ମା’ଙ୍କ ବିଗ୍ରହ ଫଟୋ ଉଠାଇ ପାରିବେ ନାହିଁ। ପ୍ରଥମ ଥର ଭୁଲ ପାଇଁ ୫୦୦ ଟଙ୍କା ଓ ଦ୍ୱିତୀୟ ଥର ଭୁଲ ପାଇଁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ। ବେଢ଼ା ମଧ୍ୟରେ କେହି ମୋବାଇଲ ବ୍ୟବହାର କରିପାରିବେ ନାହିଁ।ପଣ୍ଡା ସେବକମାନେ ଭକ୍ତ ବା କାର୍ୟ୍ୟରତ ମନ୍ଦିର କର୍ମଚାରୀମାନଙ୍କୁ ଖରାପ ବ୍ୟବହାର କଲେ ତୁରନ୍ତ ଲିଖିତ ଭାବେ ପୁଲିସକୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।ପଣ୍ଡା ସେବକମାନେ ଭକ୍ତମାନଙ୍କୁ ସେମାନଙ୍କ ଘର ସଂପର୍କରେ ପଚାରି ବିରକ୍ତ କରିବେ ନାହିଁ। ପଣ୍ଡା ସେବକମାନେ କୌଣସି ଭକ୍ତଙ୍କ ଠାରୁ ଜୁଲମ କରି ଅର୍ଥ ଆଦାୟ କଲେ ସେମାନେ ଲିଖିତ ଭାବେ ଅଭିଯୋଗ କରିପାରିବେ। ମନ୍ଦିର ପ୍ରଶାସନ ଓ ପୁଲିସ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ।ଭକ୍ତମାନେ ଅଭିଯୋଗ ଦେବା ପାଇଁ ଏକ ଅଭିଯୋଗ ବାକ୍ସ ରହିବ। ଉତ୍ତମ ପ୍ରସ୍ତାବ ଦେବା ପାଇଁ ଅଭିଯୋଗ ପୁସ୍ତକ ରଖାଯିବ। ୭ ଦିନରେ ଥରେ ଉପଜିଲ୍ଲାପାଳ, ତହସିଲଦାର, ଇନ୍‌ସପେକ୍ଟର ଇନ୍‌ଚାର୍ଜ ଓ ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ବାକ୍ସକୁ ଖୋଲା ଯାଇ ଆଇନ ଅନୁସାରେ ଉଚିତ୍ ପଦକ୍ଷେପ ନିଆଯିବ।ସେବାୟତମାନଙ୍କ ଦ୍ୱାରା ମନ୍ଦିର ପ୍ରଶାସନକୁ ଦିଆଯାଉଥିବା ଯେକୌଣସି ଦରଖାସ୍ତକୁ ତୁରନ୍ତ ବିଚାରକୁ ନେଇ ସମାଧାନ କରାଯିବ। ପାଳିଆମାନଙ୍କ ଦ୍ୱାରା ଭୋଗ ଦୋକାନ ପାଖରେ ଆଦାୟ ହେଉଥିବା ଦକ୍ଷିଣାରେ କେତେକ ସଂଶୋଧନ ତଥା ସଂସ୍କାର ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବାକୁ ସ୍ଥିର ହୋଇଛି।

ଏଭଳି ନିୟମକୁ ଭକ୍ତ, ସେବାୟତ ସ୍ୱାଗତ କରିଛନ୍ତି। ତେବେ ମନ୍ଦିର ପ୍ରଶାସନ ସମସ୍ତଙ୍କ ସହିତ ଆଲୋଚନା କରି ଓ ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ପାଳନ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବି ମତ ପ୍ରକାଶ ପାଇଛି।