ବାଲେଶ୍ୱରରୁ ଏମପି ଲଢ଼ିବେ ସଂଜୀବ ଗିରି

ବାଲେଶ୍ୱର ଲୋକସଭା ଆସନକୁ ନେଇ ଏବେ ରାଜନୀତି ସରଗରମ ହୋଇଗଲାଣି । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ଆରମ୍ଭ ହୋଇଗଲାଣି ଘଂଟାଚକଟା । ବାଲେଶ୍ୱର ଲୋକସଭା କ୍ଷେତ୍ରରେ ବିଜେଡ଼ି, ବିଜେପି ଓ କଂଗ୍ରେସର ଭଲ ଭୋଟ ବ୍ୟାଙ୍କ ଥିବାରୁ ତିନି ଦଳଙ୍କର ନଜର ଏହି ଆସନ ଉପରେ ରହିଛି । ୨୦୦୯ରେ କଂଗ୍ରେସରୁ ଶ୍ରୀକାନ୍ତ ଜେନା, ୨୦୧୪ରେ ବିଜେଡ଼ିରୁ ରବୀନ୍ଦ୍ର ଜେନା ଓ ୨୦୧୯ରେ ବିଜେପିରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଜିମାତ କରିଥିଲେ । ଗାଏମୋଟ ଦେଖିଲେ ଗତ ତିନୋଟି ନିର୍ବାଚନରେ ତିନି ଦଳ ସଫଳତା ହାସଲ କରିଛନ୍ତି ।
ବାଲେଶ୍ୱର ରାଜନୀତିରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ବିଜେପିର ପ୍ରାର୍ଥୀ ଦୌଡ଼ରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଖାରବେଳ ସ୍ୱାଇଁ ରହିଛନ୍ତି । କିନ୍ତୁ ଏଯାଏଁ ଟିକେଟ ଅଙ୍କ ତୁଟିପାରିନି । ସେହିପରି ବିଜେଡ଼ି ମଧ୍ୟ ରବୀନ୍ଦ୍ର ଜେନାଙ୍କ ବଦଳରେ ନୂଆ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଦେଇଛନ୍ତି । ତେବେ କଂଗ୍ରେସରୁ ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ନିଶ୍ଚିତ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା । ଏବେ କିନ୍ତୁ କଂଗ୍ରେସ ରାଜନୀତି କଡ଼ ଲେଉଟାଇଥିବା ଜାଣିବାକୁ ମିଳିଛି । ପୁଣିଥରେ କଂଗ୍ରେସରେ ମିଶିବା ପାଇଁ ଶ୍ରୀକାନ୍ତ ଜେନା ଗୋଟିଚାଳନା କରୁଛନ୍ତି । ତେବେ ଶ୍ରୀକାନ୍ତଙ୍କ କଂଗ୍ରେସ ଘରବାହୁଡ଼ାକୁ ଅନେକ ବରିଷ୍ଠ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ବିଶେଷକରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଶ୍ରୀକାନ୍ତ କଂଗ୍ରେସକୁ ଫେରନ୍ତୁ ବୋଲି ଚାହୁଁନାହାନ୍ତି । ଅପରପକ୍ଷରେ ପଟ୍ଟନାୟକ ପରିବାର ଉପରେ ଶ୍ରୀକାନ୍ତ ବାରବାର କ୍ଷୋଭ ପ୍ରକାଶ କରୁଥିବାରୁ ସେମାନେ ମଧ୍ୟ ଶ୍ରୀକାନ୍ତଙ୍କୁ ଭିତିରିଆ ବିରୋଧ କରୁଛନ୍ତି । ଏଭଳି କ୍ଷେତ୍ରରେ ବାଲେଶ୍ୱରରୁ ଲୋକସଭା ଲଢ଼ିବାକୁ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ସଜବାଜ ହେଉଛନ୍ତି । ଆଗାମୀ ନିର୍ବାଚନରେ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶୁଣିବାକୁ ମିଳୁଛି । କଂଗ୍ରେସ ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସଂଜୀବ ଗିରି ହେଉଛନ୍ତି ଶରତଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ । ଯଦି ନବଜ୍ୟୋତି ନଲଢ଼ନ୍ତି ତେବେ ସଂଜୀବଙ୍କୁ ହିଁ କଂଗ୍ରେସ ଟିକେଟ ମିଳିବ । ଏପରିକି ନବଜ୍ୟୋତି ମଧ୍ୟ ପୂର୍ଣ୍ଣ ପ୍ରାଣରେ ସଂଜୀବଙ୍କୁ ସହଯୋଗ କରିବେ ବୋଲି କଥା ଦେଇ ସାରିଛନ୍ତି । ଖୁବଶୀଘ୍ର ଶରତ, ସଂଜୀବ ଦିଲ୍ଳୀ ଯାଇ କେନ୍ଦ୍ରୀୟ ନେତାଙ୍କୁ ଭେଟିବେ । ଯାହାଫଳରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରାଯାଇପାରିବ । ଗୋଟିଏ ପଟେ ସଂଜୀବଙ୍କ ପାଇଁ ଲୋକସଭା ଟିକେଟ ରେଡ୍ଡି କରାଯିବା ସହ ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ଚେକ୍ ଦିଆଯାଇପାରିବ । ଏହି ଗଣିତ ଏବେ କଂଗ୍ରେସରେ ଆଲୋଡ଼ନ ସୃଷ୍ଟି କରିଛି । ଆଗାମୀ ଦିନରେ କଂଗ୍ରେସ ରାଜନୀତି କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।