ସେପ୍ଟେମ୍ବରରେ ପନିପରିବା ଶସ୍ତା ହେବ: ଶକ୍ତିକାନ୍ତ
ମୁମ୍ବାଇ: ନୂଆ ଫସଲ ବଜାରକୁ ଆସିବା ପରେ ଆସନ୍ତା ମାସରୁ ପନିପରିବା ଦାମ୍ ଶସ୍ତା ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଟମାଟୋ ସମେତ ବିଭିନ୍ନ ପନିପରିବା ମହଙ୍ଗା ହେବା ପରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ପୁଣି ଥରେ ବେଲଗାମ ହୋଇପଡ଼ିଛି। ଦରଦାମ୍ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସେ କହିଛନ୍ତି।
ପନିପରିବା ଦାମ୍ରେ ହୋଇଥିବା ବୃଦ୍ଧି ଯେଭଳି ଦୀର୍ଘଦିନ ପର୍ଯ୍ୟନ୍ତ ରହିବନି ସେଦିଗରେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରୁଛି। ନିୟମିତ ବ୍ୟବଧାନରେ ହଠାତ୍ ଦରଦାମ୍ ବଢ଼ୁଥିବାରୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କଷ୍ଟକର ହୋଇପଡ଼ିଛି। ଗତବର୍ଷ ସେପ୍ଟେମ୍ବରଠାରୁ ଏହି ଧାରା ଜାରି ରହିଛି। ଚାଉଳ, ଗହମ, ଅଟା, ଡାଲି ପରେ ଏବେ ପିଆଜ ମୂଲ୍ୟ ଉଚ୍ଚା ରହିଛି। ଦରଦାମ୍ର ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଥିବା ସବୁଠୁ ବଡ଼ ଅସ୍ତ୍ର ହେଉଛି ସୁଧ ବଢ଼ାଇବା। ୨୦୨୨ ମେ’ ପରଠାରୁ ଏହା ସୁଧରେ ୨.୫୦ ପ୍ରତିଶତ ବୃଦ୍ଧି କରିସାରିଲାଣି। ଏହାର ପ୍ରଭାବ ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିଛି।
କିଛି ସମୟ ପାଇଁ ମୁଦ୍ରାସ୍ଫୀତି ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଶକ୍ତିକାନ୍ତ କହିଛନ୍ତି ଯେ ଅଭିବୃଦ୍ଧିକୁ ଦୀର୍ଘସ୍ଥାୟୀ କରିବା ଲାଗି ମୂଲ୍ୟରେ ସ୍ଥିରତା ନିତାନ୍ତ ଜରୁରୀ। ଅଭିବୃଦ୍ଧି ଲାଗି ପରିବେଶ ଅନୁକୂଳ ରହିଥିବା ବେଳେ ପୁଞ୍ଜି ବ୍ୟୟ ଧାରା ୨୦୨୩-୨୪ରେ ବଢ଼ିବ ବୋଲି ସେ କହିଛନ୍ତି। ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ସମ୍ପର୍କରେ ସେ କହିଛନ୍ତି ଯେ ଟଙ୍କା ମୂଲ୍ୟକୁ ଆମେ ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖିବାକୁ ଚାହୁନାହୁଁ। ଟଙ୍କା ସମସ୍ୟାକୁ ଦୂର କରିବା ଲାଗି ଆମେ ବୈଦେଶିକ ମୁଦ୍ରା ଭଣ୍ଡାରକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଉଛୁ ବୋଲି ସେ କହିଛନ୍ତି।




admin 