ବିଜେପିକୁ ଅଡୁଆରେ ପକାଇଲେ ସାଧ୍ୱୀ

ବିଜେପିକୁ ଅଡୁଆରେ ପକାଇଲେ ସାଧ୍ୱୀ

ବିଜେପିକୁ ଅଡୁଆରେ ପକାଇଲେ ସାଧ୍ୱୀ
ଭୋପାଳ: ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମୁମ୍ବାଇ ଏଟିଏସର ପୂର୍ବ ମୁଖ୍ୟ ସଦିଦ ହେମନ୍ତ କରକରେଙ୍କୁ ନେଇ ଦେଇଥିବା ଆପତିଜନକ ବୟାନ ପାଇଁ ତାଙ୍କୁ ବିଭିନ୍ନ ମହଲରୁ କଡା ସମାଲୋଚନା କରାଯାଇଛି । କରକରେ ଦେଶ ବିରୋଧୀ ଏବଂ ଧର୍ମ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କର ସର୍ବନାଶ ହେଲା ବୋଲି ସାଧ୍ୱୀଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଇପିଏସ ଅଫିସର ସଂଘ ୨୬/୧୧ ସହିଦ ହେମନ୍ତ କରକରେଙ୍କୁ ନେଇ ଦିଆଯାଇଥିବା ବୟାନ ଅତ୍ୟନ୍ତ ଅପମାନଜନକ ବୋଲି ଦର୍ଶାଇବା ସହ ରାଜନୈତିକ ବ୍ୟକ୍ତି ବିଶେଷ ଏଭଳି ବୟାନରୁ ଦୂରେଇ ରହିବା ଉଚିତ ବୋଲି କହିଛି ।ଅଶୋକ ଚକ୍ରରେ ସମ୍ମାନିତ ଦିବଂଗତ ଆଇପିଏସ ଆତଙ୍କବାଦୀଙ୍କ ସହ ଲଢି ଜୀବନ ଦେଇଥିବା ବେଳେ ତାଙ୍କ ପ୍ରତି ଅପମାନଜନକ ବୟାନକୁ ଆମେ ଦୃଢ ନିନ୍ଦା କରୁଛୁ ବୋଲି ସଂଘ ପକ୍ଷରୁ କୁହାଯାଇଛି । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ସାଧ୍ୱୀଙ୍କ ବୟାନକୁ ନେଇ ବିଜେପିକୁ ଘେରିବା ଆରମ୍ଭ କରିଥିବା ବେଳେ ବିବାଦ ବଢିବାରୁ ସାଧ୍ୱୀ ତାଙ୍କ ବୟାନକୁ ଫେରାଇ ନେବା ସହ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଶତ୍ରୁ ପକ୍ଷର ଗୁଳିରେ ଜୀବନ ଦେଇଥିବା ହେମନ୍ତ କରକରେ ନିଶ୍ଚିତ ଭାବେ ଜଣେ ସହିଦ ଏବଂ ତାଙ୍କ ବିବାଦରେ ମନ୍ତବ୍ୟ ମୋର ବ୍ୟକ୍ତିଗତ ଯନ୍ତ୍ରଣାର ସ୍ୱର ଥିଲା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିଜେପି କହିଛି କରକରେଙ୍କୁ ନେଇ ସାଧ୍ୱୀଙ୍କ ବୟାନ ତାଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଏବଂ ଏହି ବୟାନ ଦଳର ମତ ନୁହେଁ । ସାଧ୍ୱୀଙ୍କ ବୟାନକୁ ନେଇ ସରଗରମ ସ୍ଥିତି ଲାଗି ରହିଥିବା ବେଳେ ଆଜି ନିର୍ବାଚନ କମିସନ ଏହି ମାମଲାର ଯାଂଚ ଆରମ୍ଭ କରିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ସହିତ ଲଢି ପ୍ରାଣ ଦେଇଥିବା କରକରେଙ୍କ ବିରୋଧରେ ସାଧ୍ୱୀଙ୍କ ବୟାନର ସବିଶେଷ ଯାଂଚ ଏବଂ ପ୍ରମାଣ ସଂଗ୍ରହ ଆରମ୍ଭ ହୋଇଛି ବୋଲି ମଧ୍ୟ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ଜଣେ ସହିଦଙ୍କୁ ଦେଶଦ୍ରେହୀ ବୋଲି ବିଜେପି ନେତା ଘୋଷଣା କରିଛନ୍ତି ଏବଂ ଏହା ଏକ ଅକ୍ଷମଣୀୟ ଅପରାଧ । ବିଜେପିର ଦେଶଦ୍ରୋହୀ ଚେହେରା ଏବେ ସାମ୍ନାକୁ ଆସିଛି ଏବଂ ଦେଶବାସୀ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ମାମଲାରେ କ୍ଷମା ପ୍ରାର୍ଥନା କରିବାକୁ କଂଗ୍ରେସ ଦାବି କରିଛି । ସାଧ୍ୱୀ ପ୍ରଜ୍ଞା ଆଜି ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ କରକରେ ତାଙ୍କୁ ଅନେକ ନିର୍ଯାତନା ଦେଇଥିଲେ ଏବଂ ବଳପୂର୍ବକ ଆତଙ୍କବାଦୀ ବୋଲି ଦର୍ଶାବାକୁ ଅନେକ ଚାପ ସୃଷ୍ଟି କରିଥିଲେ । ତାଙ୍କର ଆଚରଣ ଦେଶ ବିରୋଧୀ ଏବଂ ଧର୍ମ ବିରୋଧୀ ଥିବାରୁ ମୁଁ ତାଙ୍କର ସର୍ବନାଶ ହେଉ ବୋଲି କହିଥିଲି । ସେତେବେଳେ କଂଗ୍ରେସ ସରକାର ଏବଂ ଏହାର କିଛି ନେତା ହିନ୍ଦୁ ଆତଙ୍କବାଦ ଶବ୍ଦକୁ ଜନ୍ମ ଦେଇ ମୋ ବିରୋଧରେ ଏକ ଘୃଣାର ବାତାବରଣ ସୃଷ୍ଟି କରିଥିଲେ ବୋଲି ସାଧ୍ୱୀ କହିଥିଲେ ।