ରାଜସ୍ୱ ବଳକାରେ ଓଡ଼ିଶା ୧ ନମ୍ବର

ଭୁବନେଶ୍ୱର : ଏକଦା ଆର୍ôଥକ ଅନଟନରେ ଧଡ଼ଧଡ଼ ହେଉଥିବା ଓଡ଼ିଶାର ଅର୍ଥନୀତି ଏବେ କାୟା ବିସ୍ତାର କରିଚାଲିଛି । ଓଭରଡ୍ରାଫ୍ଟ ଯୁଗର ଅବସାନ ଘଟିଥିବାବେଳେ ରାଜ୍ୟ ବଳକା ରାଜସ୍ୱର ମାନ୍ୟତା ପାଇଛି । ସାରା ଦେଶରେ ବଳକା ରାଜସ୍ୱରେ ଓଡ଼ିଶା ଶୀର୍ଷ ସ୍ଥାନ ହାସଲ କରିଛି । ବହୁ ବଡ଼ ଅର୍ଥନୀତିକୁ ବି ଆମ ରାଜ୍ୟ ପଛରେ ପକାଇ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟର ବଜେଟକୁ ଅନୁଶୀଳନ କରି ଏଭଳି ରିପୋର୍ଟ ପ୍ରକାଶ ପାଇଛି । ସାମାଜିକ ଗଣମାଧ୍ୟମ ଏକ୍ସରେ ଏହି ରିପୋର୍ଟ ସେୟାର କରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।
୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ରାଜସ୍ୱ ବଳକା ସର୍ବାଧିକ ୪୩୪୭୧ କୋଟି ଟଙ୍କା ରହିଥିଲା । ଯେତେବେଳେକି ଜାମ୍ମୁକାଶ୍ମୀରର ୩୮୧୫ କୋଟି, ହିମାଚଳ ପ୍ରଦେଶର ୧୧୧୪ କୋଟି, ଉତରାଖଣ୍ଡର ୪୧୨୮ କୋଟି, ଦିଲ୍ଲୀର ୩୨୬୯ କୋଟି, ଉତରପ୍ରଦେଶର ରାଜସ୍ୱ ବଳକା ୩୩୪୩୦ କୋଟି ଟଙ୍କା ରହିଛି । ଏତଦବ୍ୟତୀତ ଅରୁଣାଚଳ ପ୍ରଦେଶର ରାଜସ୍ୱ ବଳକା ୫୩୮୫ କୋଟି, ଝାରଖଣ୍ଡର ୬୯୪୩ କୋଟି, ଛତିଶଗଡ଼ର ୪୬୪୨ କୋଟି, ମଧ୍ୟପ୍ରଦେଶର ୪୮୧୮ କୋଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜୁରାଟର ରାଜସ୍ୱ ବଳକା ୬୪୦୮ କୋଟି ଟଙ୍କା ଦର୍ଶାଯାଇଛି ।
ଅପରପକ୍ଷରେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କୁହାଯାଉଥିବା ଅନେକ ରାଜ୍ୟର ରାଜସ୍ୱ ବଳକା ବିଯୁକ୍ତାତ୍ମକ ଥିବା ଲକ୍ଷ୍ୟ କରାଯାଇଛି । ଅର୍ଥାତ ସେହି ସବୁ ରାଜ୍ୟରେ ରାଜସ୍ୱ ନିଅଂଟିଆ ସ୍ଥିତି ସୃଷ୍ଟିହୋଇଛି । ପଞ୍ଜାବର ରାଜସ୍ୱ ନିଅଂଟ ୧୮୪୬୮ କୋଟି, ହରିୟାଣାର ୨୦୩୩୩ କୋଟି, ରାଜସ୍ଥାନର ୨୫୮୬୯ କୋଟି, ମହାରାଷ୍ଟ୍ରର ୧୬୩୭୪ କୋଟି, କର୍ଣ୍ଣାଟକର ୧୩୬୬୬ କୋଟି, ତେଲେଙ୍ଗାନାର ୯୩୩୪ କୋଟି, ଆନ୍ଧ୍ରପ୍ରଦେଶର ୮୬୧୧ କୋଟି, କର୍ଣ୍ଣାଟକର ୧୩୬୬୬ କୋଟି, କେରଳର ୨୯୫୩୯ କୋଟି ଓ ତାମିଲନାଡ଼ୁର ରାଜସ୍ୱ ନିଅଂଟ ୪୬୫୩୮ କୋଟି ଟଙ୍କା ରହିଛି ।
ଏହି ରିପୋର୍ଟକୁ ସେୟାର କରି ଶ୍ରୀ ମଙ୍ଗରାଜ ଉଲ୍ଳେଖ କରିଛନ୍ତିଯେ, ନବୀନ ଓଡ଼ିଶାକୁ ସ୍ୱାଗତ । ଏହା ଏକ ସ୍ୱପ୍ନ ନୁହେଁ, ବାସ୍ତବତା । ଭାରତର ଆର୍ଥିକ ମାନଚିତ୍ରରେ ରାଜସ୍ୱ ବଳକା ଓ ନିଅଂଟିଆ ସ୍ଥିତିର ଅବତାରଣା କରାଯାଇଛି । ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରୟାସ ଫଳରେ ଓଡ଼ିଶାର ରାଜସ୍ୱ ବଳକା ୪୩୪୭୧ କୋଟି ଟଙ୍କା ହୋଇପାରିଛି । ଅର୍ଥନୀତି ପାଇଁ ଆହ୍ୱାନ ସୃଷ୍ଟି ହେବା ସମୟରେ ଏହା ଏକ ଛୋଟ ସଫଳତା ନୁହେଁ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି ।