ଶରଧାବାଲିରେ ଦକ୍ଷିଣ ମୋଡ଼ ନେବେ ତିନି ରଥ
ପୁରୀ: ରବିବାର ଶରଧାବାଲିରେ ରଥ ଦକ୍ଷିଣ ମୋଡ଼ ଅନୁଷ୍ଠିତ ହେବ । ଘୋଷଯାତ୍ରାରେ ବଡ଼ଦାଣ୍ଡରେ ତିନି ରଥ ଟଣା ହୋଇ ଗୁଣ୍ଡିଚା ଘରେ ପହଞ୍ଚିଥିଲା । ଏଣୁ ଦଣିକ୍ଷ ମୋଡ଼ ପୂର୍ବରୁ ତିନି ରଥ ଯାଞ୍ଚ କରାଯାଇଛି । ନନ୍ଦିଘୋଷ ରଥର ପଛିଆଣି ନାହାକା ଅଖ ଓ ଦଣ୍ଡା କଣ୍ଟା ହୁଗୁଳି ଥିଲା । ଏଣୁ ନନ୍ଦିଘୋଷ ରଥରେ ୪ଟି କ୍ଲାମ୍ପ ଲଗାଯାଇଛି । ଦଣ୍ଡା ଓ ଅଖକୁ ମିଶାଇ ୪ଟି ୟୁ ଆକୃତି କ୍ଲାମ୍ପକୁ ନଟବୋଲ୍ଟ ଦେଇ ଫିଟିଂ କରାଯାଇଛି । ବିଶ୍ୱକର୍ମା, ଭୋଇ ସେବକ, କମାର ସେବକ, ଇଞ୍ଜିନିୟର ଓ ରଥ ଯାଞ୍ଚ କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ରଥ ଯାଞ୍ଚ କାର୍ୟ୍ୟ ସମ୍ପନ୍ନ ହୋଇଛି ।
ରଥ ଦକ୍ଷିଣ ମୋଡ଼ରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ରଥତ୍ରୟ ଟଣା ହୋଇ ନାକଚଣା ଦ୍ୱାରକୁ ଆସିବ । ସେଥିପାଇଁ ଶରଧାବାଲିରେ ବାଲି ପକାଯାଇଛି । ରଥ ମୋଡ଼ ନେବାରେ ଏହା ସାହାଯ୍ୟ କରେ । ବରିଷ୍ଠ ଭୋଇ ସେବକ କାର୍ତ୍ତିକ ଭୋଇ କୁହନ୍ତି ଆଗେ ପିଚୁ ରାସ୍ତା ଦୁଇପଟେ ପଙ୍କ କାଦୁଅ ଥିଲା । ଏହା ରଥ ମୋଡ଼ ଖାଇ ଆଗପଛ ହୋଇ ନାକଚଣା ଦ୍ୱାରେ ପହଞ୍ଚିବାରେ ସୁବିଧା ହୁଏ । ଏବେ ପିଚୁ ରାସ୍ତା ହୋଇଥିବାରେ ବାଲି ପକାଯାଉଛି । ପ୍ରଥମେ ଦେବଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥ ଟଣା ଯିବ । ୨୮ ତାରିଖ ବୁଧବାର ବାହୁଡ଼ା ଯାତ୍ରାରେ ଗୁଣ୍ଡିଚାଘରୁ ଶ୍ରୀମନ୍ଦିରକୁ ରଥାରୂଢ଼ ଠାକୁରେ ବାହୁଡ଼ିବେ । ପୁଣି ଦକ୍ଷିଣ ମୋଡ଼ ପରେ ତିନି ରଥର ରୁଟିନ୍ ଚେକ୍ଅପ୍ ହେବ କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ।




admin 