ଭୁବନେଶ୍ୱର ବିଜେଡି ଜିଲ୍ଲା କମିଟିର ପୁନର୍ଗଠନ

ଭୁବନେଶ୍ୱର ବିଜେଡି ଜିଲ୍ଲା କମିଟିର ପୁନର୍ଗଠନ

ଭୁବନେଶ୍ୱର: ଭୁବନେଶ୍ୱର ବିଜେଡି ଜିଲ୍ଲା କମିଟିର ପୁନର୍ଗଠନ ହୋଇଛି ଓ ଏଥିରେ ସଭାପତିଙ୍କୁ ମିଶାଇ ମୋଟ ୧୫୫ଜଣ ଦଳୀୟ ସଦସ୍ୟଙ୍କୁ କର୍ମକର୍ତ୍ତା ଭାବେ ଥଇଥାନ କରାଯାଇଛି । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ପୁଣିଥରେ ଭୁବନେଶ୍ୱର ଜିଲ୍ଲା ସଭାପତି ଭାବେ ଅବସ୍ଥାପିତ କରାଯାଇଛି ଓ ମେୟର ପଦବୀ ନପାଇ ନିରାଶ ଥିବା ବିରଂଚି ନାରାୟଣ ମହାସୁପକାର(ଲିଟୁ)ଙ୍କୁ କାର୍ୟ୍ୟକାରୀ ସଭାପତି ପଦ ମିଳିଛି।

ଏହାସହିତ ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ମୋଟ ୧୫୩ଜଣଙ୍କୁ ବିଭିନ୍ନ କର୍ମକର୍ତ୍ତା ଭାବେ ଅବସ୍ଥାପିତ କରାଯାଇଛି । ଏଥିରେ ୨୭ଜଣଙ୍କୁ ଉପଦେଷ୍ଟା, ୨୭ଜଣଙ୍କୁ ଉପସଭାପତି, ୨୭ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭୨ଜଣଙ୍କୁ ସମ୍ପାଦକ ଭାବେ ଥଇଥାନ କରାଯାଇଛି । 
ତା’ଛଡ଼ା ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି ପ୍ରଥମଥର ନିଜର ପ୍ରଭାବଶାଳୀ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ।
ଉଲ୍ଲେଖଯୋଗ୍ୟ, ଗତ ମହାନଗର ନିଗମ ନିର୍ବାଚନବେଳେ ୩ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ମନ୍ତ୍ରୀ ଅଶୋକ ପଣ୍ଡା ବହୁ ଟିକେଟ୍ ଆଶାୟୀଙ୍କୁ ନିରାଶ କରିଥିଲେ। ଏହି ୩ ବିଧାୟକଙ୍କ କାର୍ୟ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ବହୁ ପୂର୍ବତନ କର୍ପୋରେଟର ଓ ବରିଷ୍ଠ ନେତାମାନେ ସାଂଗଠନିକ କାର୍ୟ୍ୟରୁ ଦୂରେଇ ରହିଥିଲେ । କିନ୍ତୁ ଗତ ୩ଦିନ ତଳେ ସେମାନଙ୍କୁ ନବୀନ ନିବାସ ଡକାଇ ବୁଝାସୁଝା କରାଯିବା ପରେ ଦଳ ପକ୍ଷରୁ ଆଜି ୧୫୫ଜଣିଆ ଟିମ୍ ଘୋଷଣା ହୋଇଛି।