ପ୍ରଶାସକଙ୍କ ଉପରେ ଆକ୍ସନ, ହେଲେ ସେବାୟତ ?
ଭୁବନେଶ୍ୱର : ବଡ଼ଠାକୁରଙ୍କ ପହଣ୍ଡି ବେଳେ ଅଘଟଣକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ନୂଆ ସରକାରଙ୍କୁ ଏହା ଅକଳରେ ପକାଇଦେଇଛି । ଗୋଟିଏ ପଟେ ପ୍ରଶାସନିକ ଅପାରଗତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଅପରପକ୍ଷରେ ସେବାୟତଙ୍କ ମନମାନିକୁ ନେଇ ଅଙ୍ଗୁଳି ଉଠିଛି । ଏହାକୁ ନେଇ ବିବାଦ ବଢୁଥିବାରୁ ରାଜ୍ୟ ସରକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରାତାରାତି ହଟାଇ ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ବୀର ବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଅରବିନ୍ଦ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିଥିଲେ ।
ଏସବୁ ଭିତରେ ବଡ଼ କଥାଟି ହେଉଛି, ପ୍ରଶାସକଙ୍କ ଉପରେ ଆକ୍ସନ ନିଆଯାଇଥିବାବେଳେ ସେବାୟତଙ୍କ ଉପରେ କିନ୍ତୁ କୋହଳ ମନୋଭାବ ପ୍ରକାଶ କରାଯାଉଛି । ପ୍ରଶାସକଙ୍କର ଭୁଲ ଥିଲା, ସେ ଏହାର ସଠିକ୍ ପରିଚାଳନା କରିବାରେ ବ୍ୟର୍ଥ ହୋଇଥିଲେ । ତେବେ ପ୍ରଶାସକଙ୍କ ଭଳି ସେବାୟତମାନଙ୍କର ମଧ୍ୟ ଅନୁରୂପ ଦାୟିତ୍ୱ ଦିଆଯାଇଛି । ଯୁବ ସେବାୟତମାନେ ଫଟୋ ଉଠା ପାଇଁ ପ୍ରତିଯୋଗିତା କରିବାରୁ ଏତେବଡ଼ ଅଘଟଣ ଘଟିଲା । ଟିଭି ପରଦାରୁ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ବଡ଼ଠାକୁର ମୁହଁମାଡ଼ି ପଡ଼ି ଯାଉଥିବାବେଳେ ପଛପଟେ କେହି ବି ନଥିଲେ । ଅର୍ଥାତ୍ ଡୋର ବନ୍ଧା ନହୋଇଥିଲେବି ବଡ଼ଠାକୁରଙ୍କୁ କେହି ଧରିନଥିଲେ । କେବଳ ହାଲ୍କା ହାତ ପକାଇଥିଲେ ବୋଲି କହିଲେ ଭୁଲ ହେବନାହିଁ । କିନ୍ତୁ ସେବାୟତମାନେ ଏତେ ପ୍ରଭାବଶାଳୀଯେ, ସେମାନଙ୍କ ଦେହରେ ହାତ ମାରିବାକୁ ବି ସରକାର ସାହସ କରୁନାହାନ୍ତି । ଅତୀତରେ ଏଭଳି ଘଟଣାରେ କେବଳ ତଦନ୍ତ କରାଯାଇ ୱାର୍ଣ୍ଣିଂ ହିଁ ଦିଆଯିବାର ନଜିର ରହିଛି । ଯାହାଫଳରେ ସେବାୟତମାନେ ବାରବାର ଭୁଲ ଦୋହରାଇବାକୁ ସାହାସ କରୁଛନ୍ତି ବୋଲି କହିଲେ ଭୁଲ୍ ହେବନାହିଁ ।
ଏମିତିକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖିଥିବାବେଳେ ମୁଖ୍ୟମନ୍ତ୍ରୀ ବି ଏହାର ଉତ୍ତର ଦେଇଛନ୍ତି । ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ହାଲକା ମନ୍ତବ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଏନେଇ ନବୀନ ମଧ୍ୟ ମୋହନଙ୍କ ନିକଟରେ କ୍ଷୋଭ ପ୍ରକାଶ କରିଛନ୍ତି । ସମସ୍ତେ କାହାର ଭୁଲ୍ ବୋଲି ଜାଣିଥିଲେବି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁନାହାନ୍ତି । ସେବାୟତଙ୍କ ଡରରେ ରାଜନୀତିକ ଦଳଗୁଡ଼ିକ ମଧ୍ୟ ସିଧା କଥା ନକହି ଗାଲୁଭୁରୁଡ଼ି ମାରୁଛନ୍ତି ।