୧୬ ତାରିଖ ଯାଏ ରାଜ୍ୟରେ ବର୍ଷା
ଭୁବନେଶ୍ୱର : ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଆଜି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ୧୬ ତାରିଖ ଯାଏ ରାଜ୍ୟରେ ଏହି ଭଳି ଅଳ୍ପ, ବହୁତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ମୌସୁମୀଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ମଣିପୁର ଯାଏ ଲମ୍ବିଛି ।
ଅନ୍ୟପଟେ ପୂର୍ବ ବିହାର ଉପରେ ଥିବା ଏକ ଟ୍ରଫ୍ ଲାଇନ୍ ଏବେ ପଶ୍ଚିମବଙ୍ଗ ଓ ସିକିମ୍ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି।