୧୬ ପରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,: ଆସନ୍ତା ୧୦ ଦିନ ପରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଶା ଦେଖାଇଛି ପାଣିପାଗ ମଡେଲ୍।ବିଭିନ୍ନ ମଡେଲର ଆକଳନ ଅନୁସାରେ ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନରେ କୁହାଯାଇଛି, ଆସନ୍ତା ୧୬ ତାରିଖବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ରହିବା ସମ୍ଭାବନା ଅଛି । ଏକ ମଡେଲ୍ ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପକୂଳର ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ବର୍ତ୍ତମାନ ପର୍ୟ୍ୟନ୍ତ ଭଲ ବର୍ଷାରୁ ବଞ୍ଚିତ ଓଡ଼ିଶାର ଚାଷୀକୂଳକୁ ଏହି ଲଘୁଚାପ ସାହା ହେବ ବୋଲି ଆଶା କରାଯାଉଛି । କାରଣ, ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଭଲ ବର୍ଷା ସମ୍ଭାବନା ନଥିବା କେତେକ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଏବେ ବି ୨୮% ବର୍ଷା ନିଅଣ୍ଟିଆ ଅଛି । ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ୧୯୧ ମିଲିମିଟର ବର୍ଷା ହୋଇଛି । ଏ ବର୍ଷ ୧୦ ଦିନ ବିଳମ୍ବରେ ଆସିଥିଲା ମୌସୁମୀ । ଗତ ୨୫ ତାରିଖବେଳକୁ ଲଘୁଚାପ ପ୍ରଭାବରେ ୩ ଦିନ ଭଲ ବର୍ଷିଲା । ମାତ୍ର ତା’ ପରେ ମୌସୁମୀ ଗାଏବ । ଏବେ ଦୁଇଦିନ ହେବ ବର୍ଷା ପାଗ ଆସିଛି । ଆକାଶ ମେଘାଚ୍ଛନ୍ନ ରହୁଥିବାବେଳେ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ହେଉଛି । ଏହି ବର୍ଷା ଯୋଗୁ ରାଜ୍ୟରେ ହାରାହାରି ନିଅଣ୍ଟିଆ ବର୍ଷା ପରିମାଣ ୩% ଭରଣା ହୋଇଛି ।
ପାଣିପାଗ ବିଭାଗ କହିଛି, ଶୁକ୍ରବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୧୦ ତାରିଖରୁ ବର୍ଷା ସାମାନ୍ୟ ବଢ଼ିପାରେ ।