ଓଡ଼ିଶାକୁ ୧୬ ହଜାର କୋଟି
ଓଡ଼ିଶାକୁ ୧୬ ହଜାର କୋଟି
admin
Sep 9, 2019 - 08:16
Updated: Sep 9, 2019 - 08:16
ଭୁବନେଶ୍ୱର: ପୂରଣ ହୋଇଛି ମୋଦି ସରକାରଙ୍କ ଦ୍ୱିିତୀୟ ପାଳିର ୧୦୦ ଦିନ । ଏନେଇ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଛି ବିଜେପି । ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମଣ୍ଡଭିୟେ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଛନ୍ତି । ଏହି ଅବସରରେ ଶହେ ଦିନରେ ଓଡ଼ିଶାକୁ ୧୬ ହଜାର ୬୦୫ କୋଟି ମିଳିଥିବା ସେ କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଫାନି କ୍ଷତିଭରଣା ପାଇଁ ୩ ଦଫାରେ ମୋଟ ୪୬୭୮ କୋଟି ଟଙ୍କା ଓଡ଼ିଶାକୁ ଦିଆଯାଇଛି । କାମ୍ପା ଫଣ୍ଡରୁ ଓଡ଼ିଶାକୁ ସର୍ବାଧିକ ୫୯୩୩ କୋଟି ଟଙ୍କା ଦିଆଯାଉଛି । ପୂର୍ବଥର ୨ ଜଣ ମନ୍ତ୍ରୀଙ୍କୁ ୨ ବିଭାଗ ଦିଆଯାଇଥିବାବେଳେ ଏବେ ୪ ବିଭାଗ ଦିଆଯାଇଛି । ଓଡ଼ିଶାକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ରାଜ୍ୟପାଳଭାବେ ନିଯୁକ୍ତ କରାଯାଇଛି ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ମନସୁଖଲାଲ ମଣ୍ଡଭିୟେ କହିଛନ୍ତି ।
ଏହି ଅବସରରେ ମଣ୍ଡଭିୟେ ୨ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବା ଓ ବାତ୍ୟାପ୍ରବଣ ଉପକୂଳରେ ବାତ୍ୟାନିରୋଧୀ ଆଶ୍ରୟ ସ୍ଥଳ ନିର୍ମାଣ କରିବାକୁ ମଣ୍ଡଭିୟେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ଦେଶର ସର୍ବାଙ୍ଗୀନ ଉନ୍ନତିରେ ମୋଦି ସରକାରଙ୍କ ବିଶେଷ ଅବଦାନ ରହିଛି । ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ନୂଆ ଇତିହାସ ସୃଷ୍ଟି କରିଛୁ । ସେହିପରି ପ୍ରତିରକ୍ଷା, ଦୂରସଞ୍ଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିଛୁ ।
ମୋଦି ସରକାର ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନରେ ଦେଶର ହିତ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗତ ବଜେଟ୍ ଅଧିବେଶନରେ ସର୍ବାଧିକ ଦିନ ଧରି ସଂସଦ ଚାଲିଥିଲା । ଯାହା ବିଗତ ୨୦ ବର୍ଷରେ ହୋଇ ନାହିଁ । ବିଜେପି ସରକାର ଲୋକଙ୍କୁ କ୍ଷତି ପହଁଚାଉଥିବା ୫୮ଟି ଆଇନକୁ ହଟାଇ ଦେଇଛନ୍ତି ଏବଂ ନୂତନ ଆଇନ ପ୍ରଣୟନ କରିଛନ୍ତି । ବଡ଼ ଐତିହାସିକ ପଦକ୍ଷେପ ହେଲା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ । ଜାମ୍ମୁ ଓ କାଶ୍ମୀର ବାସିନ୍ଦା ଆଜି ନିଜର ହକ୍ ପାଇଛନ୍ତି । ସରକାରୀ ଯୋଜନା ଆଉ ଅପହଞ୍ଚ ହୋଇ ରହି ନାହିଁ । ସେହିପରି ଆତଙ୍କାବାଦୀଙ୍କ ନିରସ୍ତ୍ର କରିବାକୁ ଉଦ୍ୟମ ଜାରି ରହିଛି । ଆତଙ୍କାବାଦୀଙ୍କୁ ଚିହ୍ନଟ କରି ତାଙ୍କୁ ଦଣ୍ଡିତ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏକୁ ସଶକ୍ତ କରାଯାଇଛି । ଏନ୍ଆଇଏ ଆବଶ୍ୟକ ମୁତାବକ ସ୍ୱତନ୍ତ୍ରଭାବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ । ସେହିପରି ଡିଫେନ୍ସ ଷ୍ଟାପ୍ ଗଠନ କରାଯାଇଛି । ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଆପାଚେ ଯୁଦ୍ଧ ବିମାନ ସେନାରେ ସାମିଲ ହୋଇପାରିଛି ।