ଏଣିକି ହସ୍ପିଟାଲରେ ଦଲାଲଗିରି କଲେ ସିଧା ଜେଲ୍

ଭୁବନେଶ୍ୱର: ଏଣିକି ସରକାରୀ ମେଡିକାଲ କଲେଜ କି ହସ୍ପିଟାଲରେ ଦଲାଲଗିରି କଲେ ସିଧା ଜେଲ୍ । ଆଉ ଦଲାଲଙ୍କୁ ନିସ୍ତାର ନାହିଁ । ହସ୍ପିଟାଲରେ ଦଲାଲ ପ୍ରବେଶ ଉପରେ ଲାଗିବ ଅଙ୍କୁଶ । ଘରୋଇ ହସ୍ପିଟାଲକୁ ରୋଗୀ ଚାଲାଣ କଲେ ଗୋଡ଼ାଇ ଗୋଡ଼ାଇ ଧରାଯିବ । ଏଭଳି ଦଲାଲଗିରି କାର୍ୟ୍ୟରେ ଯଦି କୌଣସି ସରକାରୀ ଡାକ୍ତର ବା ସ୍ୱାସ୍ଥ୍ୟ କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ମିଳେ ତେବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କ ନାମରେ ସିସିଏ ରୁଲ୍ସ ଅନୁଯାୟୀ କଡ଼ା କାର୍ୟ୍ୟନୁଷ୍ଠାନ ନିଆଯିବ । ମେଡିକାଲ କଲେଜଠାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ଅନ୍ୟ ହସ୍ପିଟାଲରେ ଏଭଳି କାର୍ୟ୍ୟ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କର । ଆଉ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କର । ଉପଜିଲ୍ଲାପାଳ, ଏସଡିପିଓ, ବିଡିଓ ଏବଂ ଆଇଆଇସିଙ୍କୁ ସାମିଲ କର । ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ । ସେ ସମସ୍ତ ଜିଲ୍ଲାପାଳ, ଏସ୍ପି, ମହାନଗର ନିଗମ କମିଶନର, ସିଡିଏମଓ, ପିଏଚଓ ଏବଂ କଟକ ଭୁବନେଶ୍ୱର ଡେପୁଟି କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।