୨୦୨୫ରୁ ଦିଶିବନି ଶନି ବଳୟ , ୨୦୩୨କୁ ଅପେକ୍ଷା

୨୦୨୫ରୁ ଦିଶିବନି ଶନି ବଳୟ , ୨୦୩୨କୁ ଅପେକ୍ଷା

ସୌରଜଗତରେ  ସୂର୍ଯ୍ୟଙ୍କୁ ଷଷ୍ଠ ସ୍ଥାନରେ ପରିକ୍ରମା କରୁଥିବା ଶନି ଗ୍ରହ ତାହାର ବିଶାଳ ବଳୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ତାହାର ଚାରିପଟେ ଘେରି ରହିଥିବା ଏହି ସୁଦୃଶ୍ୟ ବଳୟଗୁଡ଼ିକୁ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ପୃଥିବୀରୁ ସ୍ପଷ୍ଟ ଦେଖାଯାଏ। ୨୦୨୫ ମସିହାରୁ ଏହି ବଳୟ ପୃଥିବୀରୁ ଆଉ ଦେଖା ଯିବ ନାହିଁ ବୋଲି ବୈଜ୍ଞାନିକମାନେ ଆକଳନ କରି କହିଛନ୍ତି। ବର୍ତ୍ତମାନ ଶନି ଗ୍ରହ ପୃଥିବୀ ତୁଳନାରେ ୯ ଡିଗ୍ରି ଢଳି ରହିଥିବା ବେଳେ ୨୦୨୪ ବେଳେ ତାହା ୩.୭ ଡିଗ୍ରି ଯାଏ ହ୍ରାସ ପାଇବ। ତାହାର ବର୍ଷକ ପରେ ଯେତେବେଳେ ତାହା ଶୂନ ଡିଗ୍ରି ହୋଇଯିବ, ସେତେବେଳେ ସେହି ବଳୟଗୁଡ଼ିକ ଭୂପୃଷ୍ଠରୁ ଏକ ସମାନ୍ତରାଳ ଗାର ଭଳି ଦେଖାଯିବ, ଯାହା ଆମ ଆଖିକୁ ଖଣ୍ଡେ ସମାନ୍ତରାଳ କାଗଜର ଧାର ପରି ଦିଶିବ। 

୨୦୩୨ ମସିହାରେ ଶନି ଗ୍ରହ ପୃଥିବୀ ସହ ୨୭ ଡିଗ୍ରି କୋଣରେ ଢଳି ରହିବ, ସେହି ବଳୟଗୁଡ଼ିକ ପୁଣି ପ୍ରାଞ୍ଜଳ ଭାବେ ଦୃଶ୍ୟମାନ ହେବେ। ଉଲ୍ଲେଖଯୋଗ୍ୟ, ଶନିଗ୍ରହର ସାତଟି ବଳୟ ରହିଛି, ଯାହା ମୁଖ୍ୟତଃ ବରଫ, ପଥରର ଭଗ୍ନାବଶେଷ ଓ ଧୂଳିକୁ ନେଇ ଗଠିତ। ଶନିଗ୍ରହର ଶକ୍ତିଶାଳୀ ମାଧ୍ୟାକର୍ଷଣ ବଳ ଯୋଗୁଁ ୩୦ କୋଟି ବର୍ଷ ପରେ ଶନିର ବଳୟ ଅନ୍ତର୍ଦ୍ଧାନ ବା ବିଲୀନ ହୋଇଯିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ଅନୁମାନ କରିଛନ୍ତି।