ପିରିୟଡ଼ ସମୟରେ ପରିଚ୍ଛନ୍ନତା
ଭୁବନେଶ୍ୱର: ନାରୀ ଜୀବନର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା ହେଉଛି ପିରିୟଡ୍ସ। ହେଲେ ଏହାକୁ ନେଇ ଏବେବି ସମାଜରେ ଅନେକ କୁସଂସ୍କାର ଭରି ରହିଛି। ଫଳରେ ଲଜ୍ଜାବଶତଃ ହେଉ ଅବା ସ୍ବଚ୍ଛତା ଅଭାବରୁ ଅନେକ ଝିଅ ଏଥିପାଇଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ତେଣୁ ମନରୁ ସଂକୋଚ ଛାଡ଼ି ଏ ସମୟରେ କିପରି ପରିଚ୍ଛନ୍ନତା ରକ୍ଷାକରିବେ ସେ ନେଇ ସଭିଙ୍କୁ ସଚେତନ କରିବାର ସମୟ ଆସିଛି…
କିଶୋରୀମାନଙ୍କ ପାଇଁ ମାସିକ ଋତୁସ୍ରାବ ଏକ ପ୍ରାକୃତିକ ଓ ସ୍ବାଭାବିକ ପ୍ରକ୍ରିୟା- ଯାହା ମାସକୁ ମାସ ହୋଇଥାଏ। ଏହା ସ୍ତ୍ରୀ ହର୍ମୋନ୍ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ର ସମ୍ପୂର୍ଣ୍ଣ ସନ୍ତୁଳନରେ ହୋଇଥାଏ। ଇଷ୍ଟ୍ରୋଜେନ୍ର ପରିମାଣ କମିଗଲେ ଜରାୟୁର ଶୈଷ୍ମିକ ଝିଲ୍ଲୀରୁ ରକ୍ତ କ୍ଷରଣ ହୋଇଥାଏ। ଏହା ସେମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ।
ଭାରତରେ ୫୦ ପ୍ରତିଶତ ଅଳ୍ପ ବୟସର ବାଳିକା, ମାସିକ ଋତୁସ୍ରାବ (ମେନାର୍କି) ଆରମ୍ଭ ହେବା ଆଗରୁ ଏହା କ’ଣ ଏବଂ ଏହା କାହିଁକି ହୁଏ ଜାଣି ନ ଥା’ନ୍ତି। ହେଲେ କିଶୋରୀ ବା ଆଦ୍ୟ ଯୌବନପ୍ରାପ୍ତ ବାଳିକାମାନେ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷାର ନିୟମ ନ ମାନିଲେ ବିଭିନ୍ନ ପ୍ରକାର ପ୍ରଜନନଜନିତ ସଂକ୍ରମଣର ଶିକାର ହୋଇଥା’ନ୍ତି । ବେଳେବେଳେ ଏହା ଏତେ ଗୁରୁତର ହୋଇଥାଏ ଯେ, ସେମାନଙ୍କୁ ଗର୍ଭାଶୟ ହରାଇବାକୁ ପଡ଼ିଥାଏ। ଏହାଛଡ଼ା ଭାରତରେ ପ୍ରାୟ ଝିଅମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ହିସାବରେ ବହୁ ଅବହେଳାର ଶିକାର ହୋଇଥା’ନ୍ତି । ଏବେବି ଆମ ଦେଶରେ ମାସିକ ଋତୁସ୍ରାବକୁ ନେଇ ଅନେକଗୁଡ଼ିଏ କୁସଂସ୍କାର ବା ବିଧିନିଷେଧ କାର୍ଯ୍ୟ ରହିଛି, ଯଥା ଏହି ସମୟକୁ ‘ଅପରିଷ୍କାର’ ସମୟ କହି ଝିଅମାନଙ୍କୁ ଏକ ଅଲଗା, ଅନ୍ଧାରୁଆ କୋଠରିରେ ଏକା ରହିବାକୁ ଦିଆଯାଇଥାଏ।
ସେମାନେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ମସିଣା ଉପରେ ବସନ୍ତି। ସେମାନଙ୍କୁ ମନ୍ଦିର ଓ ପବିତ୍ର ସ୍ଥାନ ଭ୍ରମଣ ତ ଦୂରର କଥା ଖେଳାଖେଳି କରିବା ତଥା ସ୍କୁଲ ଯିବା ପାଇଁ ବାରଣ କରାଯାଇଥାଏ। ଏମିତିକି ସାଧାରଣ ଖାଇବା ଜିନିଷ ମଧ୍ୟ ବାରଣ ହୋଇଯାଏ । ହେଲେ ଧୀରେ ଧୀରେ ଏ ଭ୍ରାନ୍ତ ଧାରଣାକୁ ଦୂରେଇ ମାସିକ ଋତୁସ୍ରାବ ସମୟରେ କେମିତି ନିଜକୁ ସଂକ୍ରମଣରୁ ରକ୍ଷା କରି ଝିଅଟିଏ ସୁସ୍ଥ ରହିବ ଏବଂ ମେନ୍ଷ୍ଟ୍ରୁଆଲ୍ ହାଇଜିନ୍ ରକ୍ଷା କରିବ ସେଥିପାଇଁ ପରାମର୍ଶ ଦେବା ଆବଶ୍ୟକ। ଝିଅମାନେ ମାସିକ ଧର୍ମ ସମୟରେ ସ୍ବଚ୍ଛତା ରକ୍ଷା ନ କଲେ ଗର୍ଭାଶୟ ଭିତରକୁ ଜୀବାଣୁ ସଂକ୍ରମଣ ହୋଇଥାଏ । ପୁରୁଣା କପଡ଼ା ବ୍ୟବହାର ନ କରି ଏହି ସମୟରେ ସାନିଟାରି ପ୍ୟାଡ୍ ବ୍ୟବହାର କରିବା ସହ ୪ ରୁ ୬ ଘଣ୍ଟା ବ୍ୟବଧାନରେ ବଦଳାଇବା ସହ ନିଜେ ମଧ୍ୟ ଭଲ ଭାବେ ସାବୁନ ଲଗାଇ ଧୋଇ ହେବା ଦରକାର।
ଆଗକାଳରେ ସାନିଟାରି ନ୍ୟାପ୍କିନ୍ର ବ୍ୟବହାର ମହିଳାମାନେ ଜାଣି ନ ଥିଲେ। ତେଣୁ ସାଧାରଣ କପଡ଼ାକୁ ବ୍ୟବହାର କରୁଥିଲେ। ତାକୁ ଧୋଇ, ଶୁଖାଇ ପୁଣି ଥରେ ପରବର୍ତ୍ତୀ ମାସରେ ବ୍ୟବହାର କରୁଥିଲେ, ଯାହା ହାଇଜିନ୍ର ବିରୁଦ୍ଧ ଥିଲା। ଏଥିରେ ଅନ୍ୟ ସାଧାରଣ ସଂକ୍ରମଣ ସହ ଫଙ୍ଗସ୍ ସଂକ୍ରମଣ ମଧ୍ୟ ହେଉଥିଲା। ବେଳେବେଳେ ସେମାନଙ୍କୁ ‘ଟକ୍ସିକ୍ ସକ୍ ସିଣ୍ଡ୍ରୋମ୍’ ଭଳି ଅତି ଗୁରୁତର ସଂକ୍ରମଣ ହେଉଥିଲା । ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସମସ୍ତେ ହାଇଜିନିକାଲି ପ୍ରସ୍ତୁତ ସାନିଟାରି ପ୍ୟାଡ୍ ବ୍ୟବହାର କରିବା ଆବଶ୍ୟକ। ମାସିକ ଧର୍ମ ସମୟରେ ପୋଖରୀ ବା ନଈରେ ଗାଧୋଇବା ଉଚିତ ନୁହେଁ, କାରଣ ଏଥିରେ ଗର୍ଭାଶୟରେ ସଂକ୍ରମଣ ହୋଇଥାଏ ।
ତେଣୁ ଗାଁ ଗହଳିଠାରୁ ଆରମ୍ଭ କରି ସହରାଞ୍ଚଳରେ ସମସ୍ତେ ଏହି ସମୟରେ ସତର୍କତା ଓ ସ୍ବଚ୍ଛତା ଅବଲମ୍ବନ କରିବା ଜରୁରୀ। ଝିଅମାନେ ଅଯଥା ଭୟଭୀତ ନ ହୋଇ ଏ ସମୟରେ କ’ଣ କରିବେ ଏବଂ କେମିତି ସ୍ବାସ୍ଥ୍ୟରକ୍ଷାର ନିୟମ ମାନି ଚଳିବେ ସେକଥା ମା’ ମାଉସୀ, ବଡ଼ ଭଉଣୀ ବା ଘରର ଅନ୍ୟ ମହିଳାମାନଙ୍କଠାରୁ ଜାଣି ରଖିବା ଆବଶ୍ୟକ। ବିଦ୍ୟାଳୟରେ ମଧ୍ୟ ଫିଜିଓଲୋଜି ହାଇଜିନ୍ ଓ ଡୋମେଷ୍ଟିକ୍ ସାଇନ୍ସ କ୍ଲାସରେ ଏହା ଶିକ୍ଷା ଦେବା ଜରୁରୀ । ଏ ବିଷୟରେ ସବୁ ପ୍ଲାଟଫର୍ମରେ ଖୋଲାଖୋଲି କଥାବାର୍ତ୍ତା ହେବା ଜରୁରୀ। ଯେମିତି ଝିଅଟି ମାସିକ ଋତୁସ୍ରାବ ସମୟକୁ ନେଇ ଘରେ କିମ୍ବା ବାହାରେ ନିଜକୁ ନୂ୍ୟନ ବା ହୀନ ବୋଲି ମନେକରିବ ନାହିଁ। ମାସିକ ଋତୁସ୍ରାବ ତା’ର ଜନ୍ମଗତ ଅଧିକାର ଏବଂ ଏହି ସମୟରେ ସ୍ବଚ୍ଛତା ରକ୍ଷା କରିବା ମଧ୍ୟ ତା’ର ଏକ ବଳିଷ୍ଠ ଅଧିକାର ଏକଥା ସମସ୍ତେ ଜାଣିବା ଉଚିତ୍ ।




admin 