ଟ୍ରକ୍ ସହ ମହିନ୍ଦ୍ରା ବୋଲେରୋ ଧକ୍କା, ୭ ମୃତ
ଗୌହାଟି: ଆସାମର ଗୌହାଟିରେ ଗୋଟାଏ ‘ପିକ୍-ଅପ୍ ଟ୍ରକ୍’ ଉପରେ ଦ୍ରୁତ ଗତିରେ ଯାଉଥିବା ଗୋଟାଏ ‘ଏସ୍ୟୁଭି’ (କାର୍) ଧକ୍କା ଖାଇବାରୁ ୭ଜଣ ଇଞ୍ଜିନିୟରିଂ ଛାତ୍ରଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୬ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ଜାଲୁକବାରି ଅନ୍ତର୍ଗତ ‘ଡିସିପି ୱେଷ୍ଟ୍ ଅଫିସ୍’ ନିକଟରେ ରବିବାର ରାତି ପ୍ରାୟ ୧ଟା ବେଳେ ଗୋଟାଏ ପଣ୍ୟବାହୀ ଟ୍ରକ୍ ଉପରେ ଦ୍ରୁତଗତିରେ ଯାଉଥିବା ‘ମହିନ୍ଦ୍ରା ବୋଲେରୋ’ ଧକ୍କାଖାଇବାରୁ ଦୁର୍ଘଟଣା ଘଟିଲା। ବୋଲେରୋରେ ‘ଆସାମ ଇଞ୍ଜିନିୟରିଂ କଲେଜ’ର ୧୦ଜଣ ଛାତ୍ର ଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଦ୍ରୁତଗାମୀ ବୋଲେରୋଟି ହଠାତ୍ ରାସ୍ତାରେ ବୁଲିପଡ଼ି ‘ଡିଭାଇଡର୍’ରେ ବାଜି ବିପରୀତ ପଟରୁ ଆସୁଥିବା ଗୋଟାଏ ଟ୍ରକ୍ରେ ଧକ୍କା ଖାଇଥିଲା। ବୋଲେରୋ ଡ୍ରାଇଭର୍ କୌଶିକ ବରୁଆ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ‘ଡିଭାଇଡର୍’ରେ ପିଟି ହେବା ପରେ ବହୁବାର ଗଡ଼ି ଗଡ଼ି ଯାଇ ଟ୍ରକ୍ ଉପରେ ଧକ୍କାଖାଇଥିଲା। ଇଞ୍ଜିନିୟରିଙ୍ଗ୍ ଛାତ୍ରମାନେ ବୋଲେରୋଟି ଭଡ଼ା କରି ଗୌହାଟି ବିମାନ ବନ୍ଦର ଆଡୁ ଆସୁଥିଲେ। ଗୌହାଟି ସହରରୁ ଆସୁଥିବା ଉକ୍ତ ଟ୍ରକ୍ରେ ୩ଜଣ ଲୋକ ଥିଲେ। ବୋଲେରୋରେ ଥିବା ଛାତ୍ରଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଛି ଓ ୩ଜଣ ଆହତ ହୋଇଛନ୍ତି। ସେହିପରି, ଟ୍ରକ୍ରେ ଥିବା ୩ଜଣ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି ଆଜି ସକାଳେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ଏହି ଦୁର୍ଘଟଣାଜନିତ ଛାତ୍ରମୃତ୍ୟୁ ଯୋଗୁଁ ସେ ଗଭୀର ଶୋକବ୍ୟକ୍ତ କରିଛନ୍ତି।




admin 