୪ଟା ଯାଏ ଗୃହ ମୁଲତବି, ରାଜଭବନ ଅଭିମୁଖେ ବିଜେପି ବିଧାୟକ
ଭୁବନେଶ୍ୱର: ଆଜି ଗୃହକୁ ବାଚସ୍ପତି ୪ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି। ଏହାର ପ୍ରତିବାଦରେ ବିଜେପି ବିଧାୟକ ରାଜଭବନ ଅଭିମୁଖେ ବାହାରିଛନ୍ତି । ଆଦିବାସୀ ଜମି କିଣା ବିକା ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିବାକୁ ଯାଉଥିବା ଜଣାଯାଇଛି ।
ଉଲ୍ଲେଖଯୋଗ୍ୟ, ବିଧାନସଭା ଶୀତ ଅଧିବେଶନ । ତୃତୀୟ ଦିନରେ ବି ଗୃହ ଅଚଳ। ପ୍ରଶ୍ନକାଳ ଆରମ୍ଭରୁ ପୁଣି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ। ଆଦିବାସୀ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା। ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ କମ୍ପିଲା ଗୃହ। ବିରୋଧୀମାନେ ବ୍ୟାନର ଧରି ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ରତିବାଦ କରିଥିଲେ। ଯାହାଫଳରେ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି।
ମଙ୍ଗଳବାର ବିଧାନସଭାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶୋକ ପ୍ରସ୍ତାବ ଗୃହୀତ ହେଲା ପରେ ଗୃହକାର୍ୟ୍ୟକୁ ମୁଲତବୀ ରଖାଯାଇଥିଲା । ଦ୍ବିତୀୟ ଦିନରେ ମଧ୍ୟ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ କାର୍ୟ୍ୟ ଚାଲି ପାରି ନ ଥିଲା।
କିଛି ଦିନ ତଳେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା ଯେ, ଆଦିବାସୀଙ୍କ ଜମି ଅଣଆଦିବାସୀ କିଣିପାରିବେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ସରକାର । ଯାହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରୁଛନ୍ତି । ଆଦିବାସୀଙ୍କ ଜମି ହଡପ କରିବାକୁ ଏହା ସରକାରଙ୍କ ଚକ୍ରାନ୍ତ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ତେଣୁ ରାଜ୍ୟ ସରକାର ଏହି ଆଦିବାସୀ ଜମି କିଣାବିକା ପ୍ରସଙ୍ଗରେ ଯେଉଁ ସ୍ଥିଗତାଦେଶ ଜାରି କରିଛନ୍ତି, ତାହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେବାକୁ ଦାବି କରୁଛନ୍ତି ଉଭୟ ବିରୋଧୀ ଦଳ ।