୨୬ନଂ ଜାତୀୟ ରାଜପଥର ବାଇପାସ ପାଇଁ ୧୬୯.୨୬କୋଟି ଟଙ୍କା ମଞ୍ଜୁର

ନବରଙ୍ଗପୁର: ନବରଙ୍ଗପୁର ସହରର ବହୁପ୍ରତିକ୍ଷୀତ ୨୬ନଂ ଜାତୀୟ ରାଜପଥର ବାଇପାସ ରାସ୍ତାକୁ କେନ୍ଦ୍ରସରକାର ମଞ୍ଜୁର କରିଛନ୍ତି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ଓଡିଶାର ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ସହର ଦେଇଯାଇଥିବା ୨୬ନଂ ଜାତୀୟରାଜପଥରେ ଦୀର୍ଘ ୯.୫କିମିର ବାଇପାସ ରାସ୍ତା ପାଇଁ ୧୬୯.୨୬କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ଦେଇଛନ୍ତି ।
ନବରଙ୍ଗପୁର ସହର ମଧ୍ୟ ଦେଇ ୨୬ନଂ ଜାତୀୟରାଜପଥ ୫କି.ମି ରହିଛି। ୫କି.ମି ମଧ୍ୟରୁ ୨ କି.ମି ଅଣଅସାରିଆ ଯୋଗୁ ନବରଙ୍ଗପୁର ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦିନକୁ ଦିନକ ସହର ବଢିଚାଲିଥିବା ବେଳେ ଜନସଂଖ୍ୟା ବୃଦ୍ଧିପାଉଥିବା କାରଣରୁ ଜନଗହଳି ଯୋଗୁ ଟ୍ରାଫିକ୍ ଜାମ ପାଇଁ ଜନସାଧାରଣଙ୍କୁ ନାକେଦମ୍ ହେବାକୁ ପଡୁଛି। ବାଇପାସ ରାସ୍ତା ମଞ୍ଜୁର ହେବା ପରେ ସହରର ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।