ଖରାଦିନିଆ ପଖାଳ କଂସା

ଖରାଦିନିଆ ପଖାଳ କଂସା

ଭୁବନେଶ୍ୱର: ଖରାଦିନ ଆସିଗଲେ ମନେପଡ଼ିଯାଏ ପଖାଳ କଂସା । ଗରିବ ହୁଅନ୍ତୁ କି ଧନି ସମସ୍ତଙ୍କର ଅତିପ୍ରିୟ ହେଉଛି ପଖାଳ । ପଖାଳର ମହତ୍ତ୍ୱ ବଢ଼ିଯାଇଥାଏ ଯେତେବେଳେ ଖରାର ଉତ୍ତାପ ବଢ଼ିଥାଏ । ଗରମ ଓ ରୌଦ୍ରତାପ ସହ୍ୟ କରିହୁଏ ନାହିଁ । ସେତିକିବେଳେ ଯେତେ ରକମର ଖାଦ୍ୟ ଦିଅ କିଛି ରୁଚେନାହିଁ । ପେଟ ଖୋଜେ ଗଣ୍ଡେ ପଖାଳ । 

ପଖାଳ କଂସା ଦେଖିଦେଲେ ବଳ ଆସିଯାଏ
ଅଧିକ ପରିଶ୍ରମ କରିବାର ଅଛି ତ ଆଗ ଖୋଜା ହୁଏ ପଖାଳ କଂସା । ସକାଳୁ ପଖାଳ ଗଣ୍ଡେ ଖାଇ କାମକୁ ବାହାରିଗଲେ ଫେରିବା ଯାଏ ପେଟରେ ଭୋକ ନ ଥାଏ । ପେଟ ଥଣ୍ଡା ତ ମନ ଶାନ୍ତି । ପଖାଳ ସବୁବେଳେ ରହିଛି ଆଗକୁ ବି ରହିବ । ଖଟିଖିଆ ଲୋକଙ୍କ ପାଇଁ ପଖାଳ ଏକ ଆବେଗ ।

ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ପଖାଳ 
ସାଧାରଣ ମଣିଷର ଇଚ୍ଛା, ଆଶା ଭରିରହିଥାଏ କଂସେ ପଖାଳରେ । ଏବେ ବିଭିନ୍ନ ରୋଗ ଓ ଡାକ୍ତରଙ୍କ ପରାମର୍ଶ ପାଇଁ ପଖାଳ ସବୁଦିନ ଖାଇ ହେଉନି । ନ ହେଲେ ସକାଳୁ ସକାଳୁ ପଖାଳ କଂସେ ଖାଇଦେଲେ ଦିନ ସୁରୁଖୁରୁରେ ବିତିଯାଏ । ଶ୍ରୀଜଗନ୍ନାଥଙ୍କର ଏହା ହେଉଛି ପ୍ରିୟ ଖାଦ୍ୟ । ମହାପ୍ରଭୁ ଯେତେବେଳେ ଏହାକୁ ଆପଣେଇ ନେଇଛନ୍ତି, ସାଧାରଣ ମଣିଷ କେବେ ଏହାକୁ ଭୁଲି ପାରିବ ନାହିଁ । ଆମର ଏହି ପରମ୍ପରା ଖୁବ୍ ନିଆରା ।

ବ୍ୟବସାୟୀକରଣ ପରେ ଚାହିଦା ବଢୁଛି
ଜଗନ୍ନାଥ ସଂସ୍କୃତିରେ ପଖାଳ ରହିଛି । ସାଧାରଣ ଲୋକମାନେ ମଧ୍ୟ ଏହାକୁ ନିତିଦିନ ଖାଇଥାନ୍ତି । ବିଶେଷକରି ଖରାଦିନରେ ପଖାଳ ସମସ୍ତଙ୍କର ପ୍ରିୟ । ଏହା ଶରୀରରୁ ଜଳୀୟଅଂଶ ଅଭାବକୁ ପୂରଣ କରିବାରେ ସହାୟକ ହୋଇଥାଏ । ଏବେ ପଖାଳର ଚାହିଦା ଦିନକୁ ଦିନ ବଢ଼ୁଛି । ବ୍ୟବସାୟୀକରଣ କରିବା ଦ୍ୱାରା ଏହାର ଆଦୃତି ଦେଖିବାକୁ ମିଳୁଛି ।

ସଜ ପଖାଳ ଦେହ ସବଳ
ସଜ ପଖାଳ ଖାଇଲେ ଦେହ ଖରାପ ହୁଏ ନାହିଁ । ବାସି ପଖାଳ କେତେଜଣଙ୍କ ଦେହରେ ଯାଏ ନାହିଁ । ବିଶେକରି ଦେହରେ ଥଣ୍ଡା ରହୁଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେଇ ପଖାଳ ଖାଇବା ଉଚିତ । ତୋରାଣିରେ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ, ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା ମଧ୍ୟ କରିଥାଏ । କେତେବେଳେ କେମିତି ବାସି ପଖାଳ ଖାଇବା ଉଚିତ । ନଚେତ ସଜ ପଖାଳ ଆପଣ ସର୍ବଦା ଖାଇପାରିବେ । ଭାତ ରୋଷେଇ କରି ପାଣି ପୁରାଇ ଦିଅନ୍ତୁ ଏବେ ଲେମ୍ବୁ ଚିପୁଡ଼ି କିମ୍ବା ଦହି ଛୁଙ୍କ କରି ଖାଇପାରିବେ ।