୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ : ଏନ୍‌ସିଆର୍‌ବି ତଥ୍ୟ

୩ ବର୍ଷରେ ୧୦ ଲକ୍ଷରୁ ଅଧିକ ମହିଳା ନିଖୋଜ : ଏନ୍‌ସିଆର୍‌ବି ତଥ୍ୟ

ନୂଆଦିଲ୍ଲୀ : ୨୦୧୯ରୁ ୨୦୨୧ ମଧ୍ୟରେ ଦେଶରେ ୧୦ ଲକ୍ଷରୁ ଅଧିକ ମହିଳା ଏବଂ ନାବାଳିକା ନିଖୋଜ ହୋଇଯାଇଛନ୍ତି। ୨୦୨୧ରେ କେବଳ ୩, ୭୫,୦୫୮ ମହିଳା ନିଖୋଜ ହୋଇଛନ୍ତି। ସମସ୍ତଙ୍କ ବୟସ ୧୮ରୁ ଊର୍ଦ୍ଧ୍ବ। ତେବେ ୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ୨ଟି ରାଜ୍ୟରୁ ସର୍ବାଧିକ ମହିଳା ଏବଂ ନାବାଳିକା ନିଖୋଜ ହୋଇଛନ୍ତି। ମଧ୍ୟପ୍ରଦେଶରୁ ୨୦୧୯ରେ ୫୨,୧୧୯, ୨୦୨୦‌ରେ ୫୨,୩୫୭, ୨୦୨୧ରେ ୫୫,୭୦୪ ଜଣ ମହିଳା ଏବଂ ନାବାଳିକା ନିଖୋଜ ହୋଇଛନ୍ତି।

ତଥ୍ୟରୁ ଜଣାପଡ଼ିଛି ଯେ ପ୍ରତିବର୍ଷ ମହିଳା ଏବଂ ନାବାଳିକା ନିଖୋଜ ହେବା ବଢ଼ିଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ୨୦୧୯ରେ ୬୩,୧୬୭ ମହିଳା ନିଖୋଜ ହୋଇଥିବାବେଳେ ୨୦୨୦ରେ ୫୮,୭୩୫ ଏବଂ ୨୦୨୧ରେ ୫୬,୪୯୮ ମହିଳା ନିଖୋଜ ହୋଇଛନ୍ତି। ୨୦୨୧ରେ ଦେଶରେ ମୋଟ୍‌ ୯୦,୧୧୩ ଜଣ ନାବାଳିକା ନିଖୋଜ ହୋଇଛନ୍ତି। ସମସ୍ତଙ୍କ ବୟସ ୧୮ ବର୍ଷରୁ କମ୍‌। ପଶ୍ଚିମବଙ୍ଗରୁ ସର୍ବାଧିକ ୧୩,୨୭୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି। ୨୦୧୯ରୁ ୨୦୨୧ ମଧ୍ୟରେ ମୋଟ୍‌ ୧୦,୬୧,୬୪୮ ମହିଳା ନିଖୋଜ ହୋଇଛନ୍ତି। ଏହି ସମାନ ସମୟ ମଧ୍ୟରେ ୨,୫୧,୪୩୦ ନାବାଳିକା ନିଖୋଜ ହୋଇଛନ୍ତି।

ଭାରତରେ ମହିଳା ଏବଂ ନାବାଳିକା ନିଖୋଜ ହେବା ନେଇ ଏନ୍‌ସିଆରବି (ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ) ନିକଟରେ ଏକ ତଥ୍ୟ ଜାରି କରିଥିଲା। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏନ୍‌ସିଆରବି ତଥ୍ୟକୁ ଆଧାର କରି ଆଜି ଏହି ସୂଚନା ଦେଇଛନ୍ତି।