ଆଜି ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀ
ଭୁବନେଶ୍ବର: ଘରୋଇ ଏବଂ ବୈଶ୍ୱିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ହେବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ-ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି ।ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଏକ ବରିଷ୍ଠ ପ୍ରତିନିଧି ଦଳ, ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ବୈଠକରେ ଯୋଗଦେବେ। ଆଜି ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ, ଯାହାକୁ ଓଡ଼ିଶା ସରକାର ଆୟୋଜନ କରି କର୍ଣ୍ଣାଟକ ଏବଂ ଆଖପାଖ ରାଜ୍ୟର ସମ୍ଭାବ୍ୟ ନିବେଶକମାନଙ୍କୁ ସାମିଲ କରିବେ ।
‘ରୋଡ୍ ଶୋ’ ଅବସରରେ ଉପରୋକ୍ତ ଦୁଇ ଦିନ ୨୦୨୩ ମଇ ୧୭ ଓ ୧୮ ତାରିଖରେ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ନେତୃତ୍ୱରେ ଏହି ବରିଷ୍ଠ ପ୍ରତିନିଧି ଦଳ ସମ୍ଭାବ୍ୟ ନିବେଶକଙ୍କ ସହ ଅନେକ ଜି୨ବି ବୈଠକ ଆୟୋଜନ କରିବେ। ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଚାହୁଁଥିବା ନିବେଶକଙ୍କ ଆବଶ୍ୟକତାକୁ ବୁଝିବା ଏବଂ ରାଜ୍ୟ ଯେପରି ନିବେଶକମାନଙ୍କୁ ସର୍ବୋତ୍ତମ ସମ୍ଭବ ସହାୟତା ଓ ସୁବିଧା ପ୍ରଦାନ କରିବ, ତାହାକୁ ସୁନିଶ୍ଚିତ କରିବା ଏହି ବୈଠକର ଉଦ୍ଦେଶ୍ୟ।




admin 