ନୃଶଂସ କାଣ୍ଡ, ୨୬ ମାଙ୍କଡ଼କୁ ବିଷଦେଇ ମାରିଦେଲେ

ନୃଶଂସ କାଣ୍ଡ, ୨୬ ମାଙ୍କଡ଼କୁ ବିଷଦେଇ ମାରିଦେଲେ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗଡ଼ମୁକ୍ତେଶ୍ୱର ଅଞ୍ଚଳରେ କୀଟନାଶକ ମିଶ୍ରତ ଗୁଡ଼ ଖାଇ ୨୬ଟି ମାଙ୍କଡ଼ଙ୍କ ମୃତ୍ୟୁ ଘଟିଛି । ଏହି ମାଙ୍କଡ଼ମାନେ ଫସଲ ନଷ୍ଟ କରୁଥିବାରୁ ଦୁଇଜଣ ଚାଷୀ ମାଙ୍କଡ଼ମାନଙ୍କୁ ବିଷ ମିଶ୍ରିତ ଗୁଡ଼ ଦେଇଥିଲେ ବୋଲି ପୁଲିସ କହିଛି । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ବିଷାକ୍ତ ଔଷଧ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ କହିଛନ୍ତି ଯେ ମାଙ୍କଡ଼ମାନେ କ୍ଷେତରେ ଫସଲ ନଷ୍ଟ କରୁଥିବାରୁ ସେମାନେ ଏପରି କରିବାକୁ ବାଧ୍ୟ ହେଲେ । ଅଭିଯୁକ୍ତମାନଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୪୨୯ ଓ ୧୯୭୨ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

ପୁଲିସ ପକ୍ଷରୁ କୁହାଯାଇଛି, ଗଡ଼ମୁକ୍ତେଶ୍ୱର ଅଞ୍ଚଳର ଝରିନା ଗ୍ରାମରେ ବହୁ ସଂଖ୍ୟାରେ ମାଙ୍କଡ଼ଙ୍କ ମୃତଦେହ ପଡ଼ିଥିବା ନେଇ ପୁଲିସ ଓ ବନ ବିଭାଗର ଏକ ଟିମ୍ ସୂଚନା ପାଇଥିଲା। ଖବର ପାଇ ବନ ବିଭାଗ ଟିମ୍ ମାଙ୍କଡ଼ଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରେଲି ପଠାଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି। ପୁଲିସ ମାଙ୍କଡ଼ମାନଙ୍କ ମୃତଦେହରୁ ଗୁଡ଼ ଓ ତରଭୁଜ ଜବତ କରିବା ପରେ ମାଙ୍କଡ଼ମାନଙ୍କୁ ଗୁଡ଼ କିମ୍ବା ତରଭୁଜରେ  କିଛି ବିଷାକ୍ତ ପଦାର୍ଥ ଦିଆଯାଇଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ କହିଛନ୍ତି ଯେ, ସେମାନେ ଏକ କିଲୋଗ୍ରାମ ଫାରାଡନ୍ ଔଷଧ ଆଣି ଗୁଡରେ ମିଶାଇ ମାଙ୍କଡ଼ମାନଙ୍କୁ ଦେଇଥିଲେ। ସେମାନେ ଭାବିଥିଲେ ମାଙ୍କଡ଼ମାନେ ଅଚେତ ହୋଇ ଯିବେ ଏବଂ ପରେ ଚାଲିଯିବେ, କିନ୍ତୁ ମାଙ୍କଡ଼ମାନେ ପୋକ ଔଷଧ ଖାଇ ମୃତ୍ୟୁବରଣ କରିଥିଲେ।