ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି: ଅରବିନ୍ଦ

ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି: ଅରବିନ୍ଦ

ଭୁବନେଶ୍ୱର: ସଭ୍ୟପଦ ରଦ୍ଧକୁ ନେଇ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ ସଭ୍ୟପଦ ରଦ୍ଧ କରିବା ସ୍ୱାଭାବିକ, ମୋ ପାଇଁ ଯାହା ଅନ୍ୟମାନଙ୍କ ପାଇଁ ବି ସମାନ । ସଭ୍ୟ ପଦ ରଦ୍ଧ ପୂର୍ବରୁ ପକ୍ଷ ରଖିବା ପାଇଁ ସୁଯୋଗ ଦେବାର ଥିଲା । ଉଦେ୍ଧଶ୍ୟମୂଳକଭାବେ ମୋ ମତାମତ ନେଲେନି । ମତାମତ ନନେଇ ସରକାର ଏକତରଫା ନିଷ୍ପତ୍ତି ନେଇଛନ୍ତି । ତେଣୁ ସରକାର ପକ୍ଷ ରଖିବାକୁ ଆଉ ଥରେ ସୁଯୋଗ ଦିଅନ୍ତୁ ବୋଲି ଅରବିନ୍ଦ ଢାଲି କହିଛନ୍ତି । ଏଥିସହ ସଭ୍ୟପଦ ରଦ୍ଧ ଦ୍ୱାରା ନିର୍ବାଚନ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି ।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନକୁ ଆଧାର କରି ବାଚସ୍ପତି ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶାବଳୀ ପ୍ରକାଶ ପାଇଛି।

ଅରବିନ୍ଦ ଢାଲି ଓ  ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରୁ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ତଳେ ଦୁଇ ଜଣ ବିଜେଡି ଛାଡି ଅନ୍ୟଦଳରେ ଯୋଗଦେଇଥିଲେ। ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପିଟିସନ ଦାଖଲ କରିଥିଲେ । ଦୁଇ ବିଧାୟକଙ୍କ ବିରୋଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କ ନିକଟରୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ପିଟିସନର ଉତ୍ତର ଦେଇନଥିଲେ ଅରବିନ୍ଦ ଢାଲି ଓ  ପ୍ରେମାନନ୍ଦ ନାୟକ।
ଯାହା ଫଳରେ ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି ଦୁଇ ବିଧାୟକ । ଫଳରେ ସରକାରୀ ମୁଖ୍ୟ ସଚେତକଙ୍କ ପିଟିସନ ଆଧାରରେ ଦୁଇ ବିଧାୟକ ନିଜ ଆଡୁ ବିଜେଡି ଛାଡିଥିବା ସ୍ପଷ୍ଟ ହୋଇଛି । ଯେଉଁଥି ପାଇଁ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି। ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବା ପରେ ଏବେ ଜୟଦେବ ଓ ତେଲକୋଇ ଆସନ ଖାଲି ପଡିଲା।