କୋଟିଆ ଡାକଘରୁ ଦେଶକୁ ଗଲା ଚିଠି

କୋରାପୁଟ: କୋଟିଆ ଡାକଘରୁ ଦେଶକୁ ଗଲା ଚିଠି । ଚିଠିରେ ‘ଓଡ଼ିଶାରେ କୋଟିଆ’ ବୋଲି ଉଲ୍ଲେଖ କରାଯାଇଛି । କୋରାପୁଟ ଜିଲ୍ଲାର କୋଟିଆ ହେଉଛି ଓଡ଼ିଶାର । ଏନେଇ କେନ୍ଦ୍ର ସରକାରଙ୍କ ଡାକ ବିଭାଗ ସ୍ୱୀକୃତି ପ୍ରଦାନ କରିଛନ୍ତି । ସେଥିପାଇଁ ଓଡ଼ିଶା ଡାକବିଭାଗ ପକ୍ଷରୁ କୋଟିଆର ପୋଷ୍ଟାଲ ଇଣ୍ଡେକ୍ସ କୋଡ୍ ୭୬୪୦୩୯ ଜାରି ହୋଇଛି । ଶନିବାର ଇଷ୍ଟର୍ଣ୍ଣ ଇଣ୍ଡିଆ ଫିଲାଟେଲିକ ଆସୋସିଏସନର ବରିଷ୍ଠ କର୍ମକର୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ସଂଜୀବ ହୋତା, କୋଟିଆ ପୋଷ୍ଟ ଅଫିସ ଯାଇ ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫାର ଉନ୍ମୋଚନ କରିଛନ୍ତି ।
ଏଥିସହ ସେଠାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡୀ, ଉଭୟ ରାଜ୍ୟର ସମସ୍ତ ବିଧାୟକଙ୍କ ସମେତ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରାଯାଇଛି । ଏହି ଚିଠିରେ ‘ଓଡ଼ିଶାରେ କୋଟିଆ’ ବୋଲି ଉଲ୍ଲେଖ କରାଯାଇଛି । ସୁପ୍ରିମ କୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡ଼ିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗର କୋଟିଆକୁ ଓଡ଼ିଶାର ପିନ କୋଡ୍ ୭୬୪୦୩୯ ପ୍ରଦାନ କରାଯାଇଥିବା ତଥ୍ୟ ଓଡ଼ିଶାର ପକ୍ଷକୁ ଆହୁରି ଅଧିକ ମଜଭୁତ କରିବ ବୋଲି ଇପିଏର ଅନ୍ୟତମ ସଦସ୍ୟ ବିଶ୍ୱଜିତ ମହାନ୍ତି ଆଶାପୋଷଣ କରିଛନ୍ତି । କୋଟିଆ ଯେ ଓଡିଶାର ତାହା ସମସ୍ତଙ୍କୁ ଅବଗତ କରାଇବା ପାଇଁ କୋଟିଆରୁ କୋଟିଆର ସ୍ୱତନ୍ତ୍ର ଲଫାଫାରେ ଚିଠି ପଠାଇବା ଅଭିନାନ ଆରମ୍ଭ ହୋଇଥିବା ଶ୍ରୀ ସଂଜୀବ ହୋତା ଜଣାଇଛନ୍ତି ।