ଆଉ ଠକି ପାରିବେନି ଅଧ୍ୟାପକ, ଛାତ୍ରଛାତ୍ରୀ

ଆଉ ଠକି ପାରିବେନି ଅଧ୍ୟାପକ, ଛାତ୍ରଛାତ୍ରୀ

ଆଉ ଠକି ପାରିବେନି ଅଧ୍ୟାପକ, ଛାତ୍ରଛାତ୍ରୀ
ଭୁବନେଶ୍ୱର : କଠୋର ନିଷ୍ପତ୍ତି ନେଲେ ସରକାର । ଏଣିକି ଆଉ ଠକିପାରିବେନି ଅଧ୍ୟାପକ କି ଛାତ୍ରଛାତ୍ରୀ । ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ନିୟମିତ ଅଧ୍ୟାପକମାନେ ୭ ଘଣ୍ଟା ଡ୍ୟୁଟି କରିବେ । ଛାତ୍ରଛାତ୍ରୀ ବି ନିୟମିତ ଭାବେ କ୍ଲାସ କରିବେ । ଯଦି କୌଣସି ପିଲାର ଉପସ୍ଥାନ ୭୫ ପ୍ରତିଶତ ନଥିବ, ସେ ବାର୍ଷିକ ପରୀକ୍ଷାରୁ ବଞ୍ଚିତ ହେବେ । ସରକାରୀ କଲେଜ ଗୁଡ଼ିକରେ ପାସ୍ହାର ନୈରାଶ୍ୟଜନକ ହେବା ପରେ ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ସପ୍ତାହକ ତଳେ ଏ ନେଇ ସମୀକ୍ଷା କରାଯାଇଥିବା ବେଳେ ଚଳିତ ଶିକ୍ଷାବର୍ଷରୁ କଡାକଡ଼ି ଭାବେ ଲାଗୁ କରିବାକୁ ଆଜି ବିଜ୍ଞପ୍ତି ଜାରି କରାଯାଇଛି । ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜରେ କାର୍ଯ୍ୟ କରୁଥିବା ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ପ୍ରତି କାର୍ଯ୍ୟ ଦିବସରେ ୭ ଘଣ୍ଟା କାର୍ଯ୍ୟ କରିବା ବାଧ୍ୟତାମୂଳକ । ତେବେ ଅତିଥି ଅଧ୍ୟାପକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ । ସେମାନେ କ୍ଲାସ ଅନୁଯାୟୀ ଦରମା ନେଉଥିବାରୁ ସେମାନଙ୍କୁ ବାଦ ଦିଆଯାଇଛି । ଶିକ୍ଷାଦାନ ଓ ଏଥିସହ ସଂଶ୍ଲିଷ୍ଟ ବିଭିନ୍ନ କାର୍ଯ୍ୟ ସମେତ ଅଧ୍ୟାପକମାନେ ଏଣିକି ଲାଇବ୍ରେରି ଓ ଗବେଷଣା କାର୍ଯ୍ୟରେ ମନୋନିବେଶ କରିବେ । ଏଥିପାଇଁ ସମୟ ଦେବେ । ଯେଉଁ ଛାତ୍ରଛାତ୍ରୀ ପଛରେ ନାମ ଲେଖାଇଥିବେ ସେମାନଙ୍କ ଲାଗି ଅତିରିକ୍ତ କ୍ଲାସ କରିବେ । ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଉପସ୍ଥାନର ପର୍ଯ୍ୟାଲୋଚନା କରିବେ । କଲେଜ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିବେ । ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ବି କଡ଼ାକଡ଼ି ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । କ୍ଲାସ ନ କରି ବାରମ୍ବାର ଠକୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କଠୋର ହୋଇଛି ବିଭାଗ । ପିଲାମାନେ କ୍ଲାସ ନ କରି ପାର୍କ, ସପିଂ ମଲ ଆଦି ସ୍ଥାନରେ ବୁଲୁଥିବା ନଜରକୁ ଆସିଥିଲା । ଏ ନେଇ ଦୁଇ ସପ୍ତାହ ତଳେ ଭୁବନେଶ୍ୱରରେ ତନାଘନା କରାଯାଇଥିଲା ।