ଜେଲ ଗଲେ କୋଟିପତି କିରାଣୀ
ବାରିପଦା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ଉପଜିଲ୍ଲାପାଳ କାର୍ୟ୍ୟାଳୟ ବରିଷ୍ଠ କିରାଣୀ (ସିନିୟର ରେଭନ୍ୟୁ ଆସିଷ୍ଟାଣ୍ଡ) ରାମଚନ୍ଦ୍ର ସେନଙ୍କୁ ଶେଷରେ ଭିଜିଲାନ୍ସ ଗିରଫ କରିବା ପରେ ଜେଲକୁ ପଠାଇଛି। ଶୁକ୍ରବାର ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାପରେ ଭିଜିଲାନ୍ସ ଟିମ ଦ୍ଵାରା ରବିବାର ତାଙ୍କୁ ବାରିପଦା ସତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।
ସ୍ୱତନ୍ତ୍ର ଜଜ ଡ. ପ୍ରସନ୍ନ କୁମାର ପଣ୍ଡା ତାଙ୍କର ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭିଜିଲାନ୍ସର ଚଢ଼ାଉ ପ୍ରକ୍ରିୟାରେ ରାମଚନ୍ଦ୍ରଙ୍କ ଆୟ ବହିର୍ଭୂତ ୨୦୧ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଛି ବୋଲି ଭିଜିଲାନ୍ସ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯାଇଛି। ଯାହାର ମୂଲ୍ୟ ୩ କୋଟି ୬୨ଲକ୍ଷ ୮୪ହଜାର ୮୯୭ ଟଙ୍କା ଆକଳନ ହୋଇଛି ବୋଲି ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକ ସୂଚନା ଦେଇଛନ୍ତି। ଏଥିରେ ତାଙ୍କର ଗୋଟିଏ ୩ମହଲା ଓ ଗୋଟିଏ ଚାରି ମହଲା କୋଠା, ୧୬ଲକ୍ଷ ୧୬ହଜାର ଟଙ୍କାର ଜମି ବିକ୍ରି ଦଲିଲ ଯାହାର ପ୍ରକୃତ ମୂଲ୍ୟ ବହୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୫ଟି ପ୍ଲଟ, ୩୦ ଲକ୍ଷ ୫୫ ହଜାର ଟଙ୍କା ମୂଲ୍ୟର ସୁନା ଗହଣା ଓ ଘରକରଣା ଜିନିଷ, ୨୦ଲକ୍ଷ ୫୦ହଜାର ଟଙ୍କାର ୩ଟି କାର ଓ ୪ଟି ଦୁଇ ଚକିଆ ଗାଡି ରହିଛି ବୋଲି ସୂଚନା ଦେଇଛନ୍ତି। ତାଙ୍କୁ ଚାକିରୀରୁ ନିଲମ୍ବିତ କରିବା ପାଇଁ ବିଭାଗ ପକ୍ଷରୁ ସୁପାରିଶ କରାଯାଇଛି।




admin 