ରାତାରାତି ବଦଳିଲେ ୭୯ ଆଇପିଏସ, ୨୨ ଆଇଏଏସ

ରାତାରାତି ବଦଳିଲେ ୭୯ ଆଇପିଏସ, ୨୨ ଆଇଏଏସ

ପାଟନା: ବିହାର ରାଜନୀତିରେ ଚାଲିଥିବା ହଟଚମଟ ଭିତରେ ଶୁକ୍ରବାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରାତାରାତି ବଦଳିଛନ୍ତି ଶତାଧିକ ଆଇଏଏସ ଓ ଆଇପିଏସ ଅଫିସର । ନୀତିଶ ସରକାର ଶୁକ୍ରବାର ରାଜ୍ୟରେ ମୋଟ ୨୨ ଜଣ ଆଇଏଏସ, ୭୯ ଆଇପିଏସ ଅଧିକାରୀ ଏବଂ ୪୫ ଜଣ ବିହାର ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆରଜେଡି ସହ ମହାଗଠନବନ୍ଧନ ମେଣ୍ଟ ଭାଙ୍ଗି ବିଜେପିକୁ ଫେରିବା ସମ୍ଭାବନା ମଧ୍ୟରେ ଏଭଳି ବଡ଼ ଅଦଳବଦଳ ହୋଇଛି । ଯାହାକି ବର୍ତ୍ତମାନ ସମୟରେ ନୀତିଶଙ୍କ ଦଳବଦଳ ଚର୍ଚ୍ଚାକୁ ଆହୁରି ମଜବୁତ କରିଛି ।

ବିହାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାଟନା ଜିଲ୍ଲାପାଳ ଥିବା ୨୦୧୦ ବ୍ୟାଚର ଆଇଏଏସ ଚନ୍ଦ୍ରଶେଖର ସିଂହ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟର ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି । ତାଙ୍କର ସ୍ଥାନରେ ଆଇଜି(ଜେଲ୍) ନଭାଲ କିଶୋରଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ଗୋପାଳପୁର ଜିଲ୍ଲାପାଳଙ୍କୁ ଭାଗଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଏହିପରି ଭାବେ ବିହାର ସରକାର ୨୨ ଜଣ ଆଇଏଏସ, ୭୯ ଆଇପିଏସ ଅଧିକାରୀ ଏବଂ ୪୫ ଜଣ ବିହାର ପ୍ରଶାସନିକ ସେବା ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । 
ଦିନେ ଦୁଇ ଦିନ ଭିତରେ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ବିଜେପି ସହ ମେଣ୍ଟ ଭାଙ୍ଗି ଆରଜେଡି ସହ ମିଶି ସରକାର ଗଢିଥିବା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ପୁଣିଥରେ ପଦ୍ମ ଶିବିରଙ୍କୁ ଡିଆଁ ମାରିବାର ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି, ଆରଜେଡି ଓ ଜେଡିୟୁ ଭିତରେ ତିକ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତିଶ ମହାଗଠନବନ୍ଧନ ଛାଡି ଏନଡିଏକୁ ଫେରିବେ । ରବିବାର ସେ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହାରି ସହିତ ବିଜେପିର ସୁଶୀଲ ମୋଦି ପୁଣିଥରେ ବିହାର ଉପମୁଖ୍ୟମନ୍ତ୍ରୀ ହେବେ ।
ସାଧାରଣ ନିର୍ବାଚନକୁ ମାତ୍ର କିଛି ଦିନ ବାକି ଥିବାବେଳେ ନୀତିଶଙ୍କ ଏଭଳି ପଟ ପରିବର୍ତ୍ତନ ଚର୍ଚ୍ଚା ବିହାରରୁ ଦିଲ୍ଲୀ ଯାଏଁ କମ୍ପନ ସୃଷ୍ଟି କରିଛି ।