ଆଜି ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ

ଆଜି ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ

ଆଜି ‘ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ’। ବାଳିକାମାନେ ସମ୍ମଖୀନ ହେଉଥିବା ଆହ୍ବାନର ମୁକାବିଲା କରିବା ଏବଂ ସେମାନଙ୍କ ସଶକ୍ତୀକରଣ ଓ ମାନବିକ ଅଧିକାରର ସୁନିଶ୍ଚିତତା ଉପରେ ଗୁରୁତ୍ବାରୋପ କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଏଥି ସହିତ ସାରା ବିଶ୍ବରେ ଝିଅମାନଙ୍କ ବିରୋଧରେ ଥିବା ଲିଙ୍ଗଗତ ଅସମାନତା ଦୂର କରିବା ଲାଗି ସଚେତନତା ସୃଷ୍ଟି କରିବା ପାଇଁ ଏହା ବାର୍ତ୍ତା ପ୍ରଦାନ କରୁଛି। ପ୍ରାଚୀନ କାଳରେ ନାରୀକୁ ଖୁବ୍ ସମ୍ମାନ ଦିଆଯାଉଥିଲା। କିନ୍ତୁ ସମୟ ବଦଳିବା ସହ ସେମାନଙ୍କ ପ୍ରତି ଲୋକଙ୍କ ଚିନ୍ତାଧାରାରେ ବଡ଼ ପରିବର୍ତ୍ତନ ଆସିଥିଲା। ଫଳରେ ବାଲ୍ୟ ବିବାହ, ସତୀଦାହ ପ୍ରଥା, ଯୌତୁକ ପ୍ରଥା ଓ କନ୍ୟାଭ୍ରଣ ହତ୍ୟା ପରି ରକ୍ଷଣଶୀଳ ପ୍ରଥା ପ୍ରଚଳିତ ହୋଇ ଚାଲିଲା। ଫଳରେ ଝିଅମାନଙ୍କୁ ଶିକ୍ଷା, ପୁଷ୍ଟି, ଆଇନଗତ ଅଧିକାର ଓ ଔଷଧ ଭଳି ଅଧିକାରରୁ ବଞ୍ଚିତ କରାଯାଉଥିଲା। କିନ୍ତୁ ଏବେ ଅତ୍ୟାଧୁନିକ ଯୁଗରେ ଝିଅମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ଅଧିକାର ଦେବା ପାଇଁ ଏବଂ ସେ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ ପ୍ରୟାସ କରାଯାଉଛି।

୧୯୯୫ ମସିହାରେ ଚୀନ୍‌ର ବେଜିଂଠାରେ ଅନୁଷ୍ଠିତ ମହିଳାମାନଙ୍କ ସଂପର୍କିତ ବିଶ୍ବ ସମାବେଶରେ ବିଭିନ୍ନ ରାଷ୍ଟ୍ର ଦ୍ବାରା ସର୍ବସମ୍ମତି କ୍ରମେ ‘ବେଜିଂ ଘୋଷଣାନାମା ଓ ପଦକ୍ଷେପ ପାଇଁ ମଞ୍ଚ’ ଗୃହୀତ ହୋଇଥିଲା ଯାହା କେବଳ ମହିଳାମାନଙ୍କ ପାଇଁ ନୁହେଁ, ବରଂ ଝିଅମାନଙ୍କ ଅଧିକାରକୁ ଆଗକୁ ନେବା ପାଇଁ ସବୁଠାରୁ ପ୍ରଗତିଶୀଳ ନକ୍ସା ଥିଲା। ପରେ ୨୦୧୧ ଡିସେମ୍ବର ୧୯ରେ ମିଳିତ ଜାତିସଂଘର ସାଧାରଣ ପରିଷଦ ଏକ ସଂକଳ୍ପ ପାରିତ କରି ଅକ୍‌ଟୋବର ୧୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ କନ୍ୟା ସନ୍ତାନ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ୨୦୧୨ ମସିହାରୁ ପ୍ରତି ବର୍ଷ ଏ ଦିବସ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ଏହି ଦିବସ ପାଳନର ସ୍ଲୋଗାନ ହେଉଛି: ‘ଝିଅମାନଙ୍କ ଅଧିକାର ଲାଗି ନିବେଶ: ଆମ ନେତୃତ୍ବ, ଆମ ହିତ’।