ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସମଲେଶ୍ବରୀ
ପବିତ୍ର ମହାଳୟା ତିଥିରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ l ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା ସମଲେଶ୍ୱରୀ ପବିତ୍ର ମହାଳୟାରେ ଗଙ୍ଗାବେଶ ଧାରଣ କରିଛନ୍ତି l ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମା’ଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗାସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି l ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି l ତେବେ ମା’ଙ୍କ ଏହି ବେଶକୁ ଗଙ୍ଗାବେଶ ବୋଲି ମଧ୍ୟ କୁହାଯାଇଥାଏ l ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ l
ଆଜି ସକାଳୁ ନିୟମିତ ସମୟରୁ ଏକ ଘଣ୍ଟା ପୂର୍ବରୁ ମା’ଙ୍କର ପହୁଡ ଖୋଲାଯାଇ ଧବଳମୁଖୀ ବେଶ ପାଇଁ ମାଙ୍କୁ ସଜ୍ଜିତ କରିଥିଲେ ମନ୍ଦିରର ପୁଜକ l ଏଥିସହ ମା’ଙ୍କୁ ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗା ଯାଇଥାଏ l ଯାହା ବର୍ଷର ଅନ୍ୟ କୌଣସି ଦିନରେ ମା’ଙ୍କୁ ଅପର୍ଣ କରାଯାଏ ନାହିଁ l ମନ୍ଦିର ପରିସରରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ଅପରପକ୍ଷରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଠ ବୋର୍ଡ l ଏଥିସହ ଆଜି ମା’ଙ୍କ ଧବଳମୁଖି ବେଶ ପାଇଁ ମାଙ୍କର ସ୍ୱତନ୍ତ୍ର ମହାଆଳତି ମଧ୍ୟ କରାଯାଇଛି l ଏହି ଧବଳମୁଖୀ ବେଶରେ ମା’ ଦୁଇ ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି l ଭକ୍ତମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଠବୋର୍ଡ ପକ୍ଷରୁ ମା’ଙ୍କୁ ଅର୍ପଣ କରାଯାଉଥିବା ଭୋଗ ମନ୍ଦିର ଭିତରକୁ ବାରଣ କରାଯାଇଛି l
ଆଜିର ଦିନରେ ମା’ଙ୍କ ଏହି ଅପୁର୍ବ ରୁପକୁ ଭକ୍ତ ଦର୍ଶନ ଲାଭ କଲେ କୋଟି ପୁଣ୍ୟ ମିଳେ ବୋଲି ଭକ୍ତଙ୍କ ମଧ୍ୟରେ ବିଶ୍ୱାସ ରହିଛି l ସେଥିପାଇଁ ଭକ୍ତମାନେ ଏହି ଦିନର ଅପେକ୍ଷାରେ ରହିଥାନ୍ତି l