ମାଗଣା ହେଲମେଟ୍ ବାଂଟିବା ପାଇଁ ଘର ବିକିଦେଲେ
ବିହାର : ପ୍ରତିଟି ଜୀବନ ବହୁତ୍ ମୂଲ୍ୟବାନ୍ । ବିନା ହେଲମେଟରେ ବାଇକ ଚଲାଉଥିବା ଚାଳକଙ୍କୁ ମାଗଣା ହେଲମେଟ ବାଂଟି ଚର୍ଚ୍ଚାକୁ ଆସିଥିଲେ ବିହାରର ରାଘବେନ୍ଦ୍ର କୁମାର । ଭାରତରେ ହେଲମେଟ ମ୍ୟାନ ଆଖ୍ୟା ଦିଆଯାଇଥିବା ଏହି ବ୍ୟକ୍ତି ବିନା ହେଲମେଟରେ ଦୁର୍ଘଟଣା ଜନିତ ମୃତୁ୍ୟ ସଂଖ୍ୟା କମାଇବା ପାଇଁ ଏକ ମିଶନରେ ନିଜକୁ ନିୟୋଜିତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ୫୬ ହଜାରରୁ ଅଧିକ ହେଲମେଟ୍ ବାଂଟି ସାରିଲେଣି ।
ଏହି ମିଶନ ପାଇଁ ସେ ଗ୍ରେଟର ନୋଏଡ଼ାରେ ଥିବା ତାଙ୍କ ଆପାର୍ଟମେଂଟକୁ ବିକ୍ରି କରିଦେଇଛନ୍ତି । ଏପରିକି ନିଜ ସ୍ତ୍ରୀର ଗହଣା ବନ୍ଧା ପକାଇ ଋଣ ମଧ୍ୟ କରିଛନ୍ତି । ରାଘବେନ୍ଦ୍ର ଏହି କାମ କରିବା ପୂର୍ବରୁ ଅନେକ ବହୂ ରାଷ୍ଟ୍ରୀୟ କମ୍ପାନୀର ଆଇନ ପରାମର୍ଶଦାତା ଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ସ୍ୱେଛାସେବୀ ହୋଇଛନ୍ତି ।
୯ ବର୍ଷ ତଳର ପୁରୁଣା ଘଟଣା ତାଙ୍କ ଜୀବନ ବଦଳାଇଥିଲା । ବିନା ହେଲମେଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ସାଙ୍ଗ ମୃତୁ୍ୟବରଣ କରିଥିଲା । ଯିଏକି ବାପା ମା ଙ୍କ ଏକ ମାତ୍ର ପୁଅ ଥିଲେ । ଏହି ଘଟଣା ରାଘବେନ୍ଦ୍ରଙ୍କୁ ବହୁତ ବିଚଳିତ କରିଥିଲା । ସେହି ଘଟଣା ପରଠୁ ସେ ହେଲମେଟ ବାଂଟିବା ଆରମ୍ଭ କରିଛନ୍ତି । ତାଙ୍କର ସଡ଼କ ସୁରକ୍ଷା ଅଭିଯାନ ସେମିତି ଜାରି ରହିବ ହୋଲି ସେ କହିଛନ୍ତି ।




admin 