ସବୁଠାରୁ ଉତ୍ତପ୍ତ ମାସ ଜୁଲାଇ ୨୦୨୩ : ନାସା

ୱାସିଂଟନ : ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଅନେକ ରେକର୍ଡ ଭାଙ୍ଗିଛି। ଆମେରିକାର ମହକାଶ ଗବେଷଣା ସଂସ୍ଥା ନାସାର ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ ଚଳିତ ବର୍ଷର ଜୁଲାଇ ହେଉଛି ଇତିହାସର ସବୁଠାରୁ ଉତ୍ତପ୍ତ ମାସ। ନାସାରା ଜଳବାୟୁ ବୈଜ୍ଞାନିକ ଗୋବିନ୍ ସିମିଟ୍ ଉପଗ୍ରହ ତଥ୍ୟର ବିଶ୍ଳେଷଣ କରି ଏଭଳି ତଥ୍ୟ ରଖିଛନ୍ତି।
ଚଳିତ ବର୍ଷର ଜୁଲାଇ ବିଗତ କେତେ ଶହ ବର୍ଷ ମଧ୍ୟରେ ସବୁଠାରୁ ଉତ୍ତପ୍ତ ବୋଲି ଅନୁଧ୍ୟାନରୁ ଜଣାପଡ଼ିଛି। ପରିବେଶରେ ସବୁଜ ଗ୍ୟାସ୍ର ଲଗାତାର ନିର୍ଗମନ ଏହାର ମୁଖ୍ୟ କାରଣ ହୋଇଥିବା ବେଳେ ଏଲ୍ନିନୋର ମଧ୍ୟ କିଛି ପ୍ରଭାବ ରହିଛି ବୋଲି ସେ କହିଛନ୍ତି। ଏବେ ଆମେରିକା, ୟୁରୋପ ଏବଂ ଏସିଆର ଅନେକ ଅଂଚଳରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଛି।
ପ୍ରଶାନ୍ତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରରେ ଏଲ୍ନିନୋର ପ୍ରଭାବ ବୃଦ୍ଧି ଯୋଗୁ ତାପମାତ୍ରା ଅନେକ ସ୍ଥାନରେ ୪୨ ଡିଗ୍ରି ସେଲସିୟସ ଛୁଇଁଛି। ୧୮୦୦ ଦଶକରେ ତାପାମତ୍ରାର ରେକର୍ଡ ରଖିବା ଆରମ୍ଭ ହେବା ପରଠାରୁ ଅଦ୍ୟାବଧି ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ବୋଲି କୁହାଯାଇଥିବା ବେଳେ ଆଗକୁ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆହୁରି ବଢ଼ିବ ଏବଂ ବିଶ୍ବବ୍ୟାପୀ ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।