ହବିଷ ଡାଲମାର ଆର୍ୟୁବେଦୀୟ ଗୁଣ
ଉପାଦାନ ଦୃଷ୍ଟିରୁ ଦେଖିଲେ, ‘ହବିଷ ଡାଲମା’ ରେ ରହିଛି ଅନେକ ଔଷଧୀୟ ଗୁଣ । ଏହାର ମୁଖ୍ୟ ଉପାଦାନ ମୁଗଡାଲି, କଂଚାକଦଳୀ, ସାରୁ ଓ ଓଉ । କଂଚା ମୁଗଡାଲି ଅନ୍ୟାନ୍ୟ ଡାଲିଜାତୀୟ ପଦାର୍ଥ ମଧ୍ୟରେ ଶ୍ରେଷ୍ଠ ବୋଲି ଆର୍ୟୁବେଦରେ କୁହାଯାଇଛି । ଏହା ହାଲୁକା ଓ ସହଜରେ ହଜମ ହୁଏ । ଏହା ମଧ୍ୟ ଖୁବ ବଳ ଦିଏ । କଂଚା କଦଳୀ କଷାୟ ରସ ଯୁକ୍ତ ପରିବା, ଏଥିରେ ପ୍ରଚୁର ପରିମାଣରେ ଲୌହ, ଖାଦ୍ୟସାର ଓ ଖଣିଜ ତତ୍ୱ୍ୱ ରହିଛି । ଏହା ସବୁ ଋତୁରେ ବିଶେଷ କରି ହେମନ୍ତ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ । ସାରୁ ହବିଷ ଡାଲମାର ଅନ୍ୟ ଏକ ମୁଖ୍ୟ ଉପାଦାନ । କିନ୍ତୁ ଅଠାଳିଆ ପରିବା ହେତୁ ଏହାକୁ ଅନେକ ପସନ୍ଦ କରନ୍ତି ନାହିଁ । ତେବେ ଏହା ଏକ ଋତୁ ପରିବା । ହେମନ୍ତ ଋତୁରେ ଏହା ପ୍ରଚୁର ପରିମାଣରେ ମିଳିଥାଏ ।
ଔଷଧୀୟ ଗୁଣ ଦୃଷ୍ଟିରୁ ଏହା ଆନ୍ତ୍ରିକ ରକ୍ତସ୍ରାବର ନିରୋଧକ । ନାଭିମଣ୍ଡଳକୁ ଏହା ଉଜ୍ଜୀବିତ କରେ । ଅମ୍ଳରସ ଯୁକ୍ତ ଓଉ ହବିଷ ଡାଲମାର ଆଉ ଏକ ମୂଲ୍ୟବାନ ଉପାଦାନ । ଏହା ତନ୍ତୁଯୁକ୍ତ ଓ ହଜମ କାରକ । ଏହା ମଧ୍ୟ ଋତୁ ଅନୁସାରେ ମିଳୁଥିବା ଏକ ଫଳ । ଏହାର ଅନ୍ୟ ଔଷଧୀୟ ଗୁଣ ହେଉଛି ଏହା ବାୟୁରୋଗନାଶକ । ମୁଗଡାଲି, କଂଚାକଦଳୀ, ସାରୁ ଓ ଓଉ ବ୍ୟତୀତ ଅଗସ୍ତି ଶାଗ (ପତ୍ର) ଓ ଫୁଲର ଉପଯୋଗ ମଧ୍ୟ କାର୍ତ୍ତି ମାସର ହବିଷ ଡାଲମାରେ କରାଯାଇଥାଏ । ଏହାକୁ ଅଗସ୍ତିମୁନିଙ୍କର ପ୍ରସାଦ ବା ଆଶୀର୍ବାଦ ରୂପେ ବିବେଚନା କରାଯାଏ । କାରଣ ହେମନ୍ତ ଋତୁରେ ଅଗସ୍ତି ନକ୍ଷତ୍ରର ପ୍ରଭାବ ପୃଥିବୀ ଉପରେ ଥାଏ । ଏହାର ଗୁଣ ହେଉଛି ଏହା ଶୀତଳ, କୋମଳ ଓ ସୌମ୍ୟରସ ଯୁକ୍ତ (ଆହ୍ଲାଦଦାୟକ) । ସେଥିପାଇଁ ଅଗସ୍ତିକୁ ମୁନିଦ୍ରୁମ ମଧ୍ୟ କୁହାଯାଏ । ଏହା ହେମନ୍ତ ଋତୁରେ ହେଉଥିବା କଫ ଓ କାଶର ବିନାଶକ ଏବଂ ମେଧାବର୍ଦ୍ଧକ । ଏହା ମଧ୍ୟ ପାଚନ (ହଜମ ଶକ୍ତି) କାରକ ଏବଂ ଆଖି (ଦୃଷ୍ଟି ଶକ୍ତି) ପାଇଁ ଅତ୍ୟନ୍ତ ଉପଯୋଗୀ ।
ଅଗସ୍ତି ଶାଗ ବା ଫୁଲ ବ୍ୟତୀତ, ଅନେକ ହବିଷ ଡାଲମାରେ କୋରା ନଡିଆ ମଧ୍ୟ ପକାଉଥାନ୍ତି । ଏହା ‘ଅଣବଘରା’ ହବିଷ ଡାଲମାରେ ପ୍ରାକୃତିକ ତୈଳର ଉପାଦାନ ଯୋଗ କରେ । ଏହା ଫଳରେ ହବିଷ ଡାଲମାର ସ୍ୱାଦ ମଧ୍ୟ ବୃଦ୍ଧିପାଏ । ଲଙ୍କା ପରିବର୍ତ୍ତେର୍ ଅଦାର ଉପଯୋଗ ଏଥିରେ କଟୁ ରସ ଯୁକ୍ତ କରେ ଏବଂ ଏହା ପାଚନକାରକ ମଧ୍ୟ ହୋଇଥାଏ । କାର୍ତ୍ତିକବ୍ରତରେ ଯେଉଁ ବେଳିକିଆ ହବିଷ୍ୟକୁ ଭୋଜନର ବିଧାନ ଅଛି, ତାହା ଯୋଗୁଁ ଶରୀରର ପିତ୍ତ ଅଂଶ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ । ଏଣୁ ପିତ୍ତ ଅଂଶ ନ ବଢିବା ପାଇଁ ଏଥିରେ ହଳଦିର ଉପଯୋଗକୁ ବାରଣ କରାଯାଇଛି । ଏଇଥିପାଇଁ ମଧ୍ୟ ଏହି ହବିଷ ଡାଲମାର ଅଣବଘରା ହେବାର ବିିଧି ରହିଛି । ସଂକ୍ଷେପରେ କହିଲେ ଏହି ହବିଷ ଡାଲମା ସମ୍ପୂର୍ଣ୍ଣ ଭାବରେ ଏକ ଷଡରସଯୁକ୍ତ ଏବଂ ଋତୁଚର୍ଯ୍ୟା ଅନୁସାରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ । ପୌଷ୍ଟିକ ଆହାର ଅଟେ ।




admin 