ଗ୍ୟାସ୍ରେ ରୂପାନ୍ତରିତ ହେବ କୋଇଲା, ୬୦୦୦ କୋଟି ବିନିଯୋଗ
ନୂଆଦିଲ୍ଲୀ : ଏବେ ଭାରତ ତାହାର ଆବଶ୍ୟକତାର ୫୦ ଶତାଂଶ ପ୍ରାକୃତିକ ଗ୍ୟାସ, ୯୦% ମିଥାନଲ ଓ ପ୍ରାୟ ୧୫% ୟୁରିଆ ବିଦେଶରୁ କିଣୁଛି । ତେଣୁ କୋଇଲାରୁ ଗ୍ୟାସ ଉତ୍ପାଦିତ ହେଲେ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇ ପାରିବ। ଏହା ଦ୍ୱାରା ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ସ୍ୱଚ୍ଛ ଇନ୍ଧନ ବ୍ୟବହାର ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ ।
ଭାରତ ସ୍ୱଚ୍ଛ ତଥା ପ୍ରଦୂଷଣମୁକ୍ତ ଇନ୍ଧନ ଉପରେ ଗୁରୁତ୍ୱ ଦେଉଛି । ସେ ଦୃଷ୍ଟିରୁ କୋଇଲାକୁ ସିଧା ଜାଳେଣିଭାବେ ବ୍ୟବହାର ନ କରି ଏହାକୁ ଗ୍ୟାସ୍ରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି। ତେବେ ଏହି ପ୍ରକିୟା ଅତ୍ୟନ୍ତ ବ୍ୟୟବହୁଳ ଓ ଏହାର ପ୍ରଯୁକ୍ତି ଯଥେଷ୍ଟ ଖର୍ଚ୍ଚ ସାପେକ୍ଷ । ସେ ଦୃଷ୍ଟିରୁ କୋଇଲାକୁ ଗ୍ୟାସରେ ପରିଣତ କରାଗଲେ କେତେ ଲାଭ, କେତେ କ୍ଷତି ହେବ ସେକଥା ମନ୍ତ୍ରଣାଳୟ ବିଚାର କରି ଦେଖୁଛି।
ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରକୁ ସାମିଲ କରିବାକୁ ପ୍ରୟାସ ଚାଲିଛି ଏବଂ ଏଥି ପାଇଁ ମୋଟ ୬୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ଆପାତତଃ ଚୂଡାନ୍ତ ହୋଇଛି। ଏହି ଯୋଜନାରେ ପ୍ରଥମେ ଲିଗ୍ନାଇଟ୍ କୋଇଲାକୁ ଗ୍ୟାସରେ ପରିଣତ କରିବାକୁ ବିଚାର କରାଯାଉଛି । ଲିଗ୍ନାଇଟ କୋଇଲା ଦେଖିବାକୁ ଧୂସର, ନରମ ଏବଂ ଦହନଶୀଳ।
କୋଇଲା ମନ୍ତ୍ରଣାଳୟ ମଧ୍ୟ କୋଲ୍ ଇଣ୍ଡିଆ ଲିମିଟେଡ ଅଧୀନରେ ଥିବା ମାଟି ଉପରୁ ମିଳୁଥିବା କୋଇଲା ଖଣି ଅଞ୍ଚଳରେ ଗ୍ୟାସିଫିକେସନ କାମ ସହଯୋଗ ଭିତ୍ତିରେ ଆରମ୍ଭ କରିବାକୁ ଭେଲ୍, ସିଆର୍ଇଏଲ, ଗେଲ୍, ଆଇଓସିଏଲ ଆଦିଙ୍କ ମଧ୍ୟରେ ୨୦୨୨ରେ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।




user2 