ଜୀବନ୍ତ ବେଙ୍ଗ ଦେହରେ ଛତୁ

ଜୀବନ୍ତ  ବେଙ୍ଗ ଦେହରେ ଛତୁ

ଭାରତର ପଶ୍ଚିମଘାଟ ପର୍ବତମାଳାର ପାଦଦେଶରେ ଏକ ନିଆରା ଦୃଶ୍ୟ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏକ ଚିତ୍ତାକର୍ଷକ ଆବିଷ୍କାର କ୍ରମେ ଏକ ବେଙ୍ଗ ଦେହରୁ ଛତୁ ଗଜୁରିବା ଦେଖିବାକୁ ମିଳିଛି। ବେଙ୍ଗ ପରି ଏକ ଜୀବନ୍ତ ଉଭୟଚର ପ୍ରାଣୀ ଦେହରୁ ପ୍ରଥମ ଥର ପାଇଁ ଏପରି ଛତୁ ବାହାରିବାର ଅସାଧାରଣ ବୈଶିଷ୍ଟ୍ୟ ବୈଜ୍ଞାନିକ ସମୁଦାୟକୁ ଆକର୍ଷିତ କରିଛି। ଗତ ବର୍ଷ ଜୁନ୍‌ ୧୯ରେ କର୍ଣ୍ଣାଟକର କର୍କଲା ଠାରେ ବିଶ୍ବ ବନ୍ୟପ୍ରାଣୀ ପାଣ୍ଠି (ଡବଲ୍ୟୁଡବଲ୍ୟୁଏଫ୍‌)ର ବୈଜ୍ଞାନିକଙ୍କ ସହ ଭାରତୀୟ ଗବେଷକମାନେ ‘ରାଓସ୍‌ ଇଣ୍ଟରମିଡିଏଟ୍‌ ଗୋଲ୍‌ଡେନ୍‌ ବ୍ୟାକ୍‌ଡ ଫ୍ରଗ୍‌’ ନାମକ ଏହି ‘ହିଲାରିନା ଇଣ୍ଟର-ମିଡିଆ’ ପ୍ରଜାତିର ବେଙ୍ଗକୁ ଠାବ କରିଥିଲେ। ଏହି ପ୍ରଜାତିର ବେଙ୍ଗ ସାଧାରଣତଃ କର୍ଣ୍ଣାଟକ ଓ କେରଳର ପଶ୍ଚିମଘାଟ ଅନ୍ତର୍ଗତ ପାଲଘାଟ ଗ୍ୟାପ୍‌ ଉପରେ ପ୍ରଚୁର ପରିମାଣରେ ଦେଖାଯାଇଥା’ନ୍ତି। ଅନୁସନ୍ଧାନକାରୀମାନେ କର୍କଲାଠାରେ ଏକ ରାସ୍ତାକଡ଼ ଜଳାଶୟରେ ପାଖାପାଖି ୪୦ଟି ଏହି ପ୍ରକାରର ବେଙ୍ଗ ଦେଖିଥିଲେ।

ସେମାନଙ୍କ ଭିତରୁ ଗୋଟିକର ବାମ ଜଙ୍ଘରେ ଏକ ଭିନ୍ନ ଧରଣର ଅଭିବୃଦ୍ଧି ହୋଇଥିବା ଦେଖାଯାଇଥିଲା। ତେବେ ନିକଟରୁ ନିରୀକ୍ଷଣ କଲା ପରେ ବେଙ୍ଗ ଜଙ୍ଘରୁ ଏକ ଛତୁ ଉଠିଥିବା ଜଣାପଡ଼ିଥିଲା। ଏପରି ଅସ୍ବାଭାବିକ ପ୍ରତ୍ୟଙ୍ଗ ସତ୍ତ୍ବେ ବେଙ୍ଗଟି ଜୀବିତ ଥିଲା ଏବଂ ଚଳପ୍ରଚଳ କରୁଥିଲା। ଅଣୁଉଦ୍ଭିଦବିଜ୍ଞାନୀଙ୍କ ଅନୁଧ୍ୟାନ ପରେ ଉକ୍ତ ଛତୁଟି ସାଧାରଣତଃ ଦଦରା କାଠଗଣ୍ଡି ଉପରେ ଉଠୁଥିବା ‘ବୋନେଟ୍‌’ ପ୍ରଜାତିର ଛତୁ ବୋଲି ଜଣାପଡ଼ିଥିଲା। ଏହି ଅନୁସନ୍ଧାନ, ପ୍ରାକୃତିକ ବାସସ୍ଥଳୀରେ ଉଭୟଚର ଓ କବକ (ଫଙ୍ଗସ) ମଧ୍ୟରେ ଥିବା ସମ୍ଭାବ୍ୟ ଘନିଷ୍ଠ ଶାରୀରିକ ସମ୍ପର୍କ ଏବଂ ପରିବେଶର ଗତିଶୀଳତା ବାବଦରେ ସଂଖ୍ୟାଧିକ ପ୍ରଶ୍ନ ଛିଡ଼ା କରାଇଛି। ପୂର୍ବରୁ ଏପରି ଘଟଣା ଦେଖାଯାଇନଥିବା ବେଳେ ମୌସୁମି ପ୍ରଭାବିତ ପଶ୍ଚିମଘାଟର ଆର୍ଦ୍ର ପରିବେଶ ଏପରି ଛତୁ ଉଠିବା ପାଇଁ ଖୋରାକ ଯୋଗାଇଥିବ ବୋଲି ଅନୁମାନ କରାଯାଉଛି।