ସବୁଠୁ ଦାମୀ ଆଇଫୋନ୍
ନୂଆଦିଲ୍ଲୀ: ନିକଟରେ ଏକ ସୀମିତ ସଂସ୍କରଣର ଆପଲ୍ ଆଇ-ଫୋନ୍ ବଜାରକୁ ଛଡ଼ାଯାଇଛି ଯାହା ବିଶ୍ବର ସବୁଠୁ ଦାମୀ ଫୋନ୍ର ମାନ୍ୟତା ବହନ କରୁଛି। ‘ଡାଇମଣ୍ଡ୍ ସ୍ନୋଫ୍ଲେକ୍’ ଭାବରେ ନାମିତ ଏହି ଆଇଫୋନ୍ର ମୂଲ୍ୟ ହେଉଛି ସାଢ଼େ ୪ ଲକ୍ଷ ଡଲାର ବା ୩ କୋଟି ୭୦ ଲକ୍ଷ ଟଙ୍କା।
ଗତ ବର୍ଷ ଆପଲ୍ ପକ୍ଷରୁ ବଜାରକୁ ଛଡ଼ାଯାଇଥିବା ଲକ୍ଷେ ୪୦ ହଜାର ଟଙ୍କିଆ ‘ଆଇଫୋନ ୧୪ ପ୍ରୋ ମାକ୍ସ’ ବର୍ଗର ପଛପାଖରେ ପ୍ଲାଟିନମ୍ ଓ ସୁନାର ଏକ ଫଳକ ବା ପେଣ୍ଡାଣ୍ଟ୍ ଲଗାଯାଇ ଏହି ଫୋନ୍ ପ୍ରସ୍ତୁତ କରାଯାଇଛି। ଉକ୍ତ ଫଳକରେ ଯେଉଁ ସବୁ ହୀରାଖଣ୍ଡ ଖଚିତ ହୋଇଛି, କେବଳ ତାହାର ଦାମ୍ ହେଉଛି ୭୫ ହଜାର ଡଲାର ବା ୬୨ ଲକ୍ଷ ଟଙ୍କା।
ଏଥି ସହିତ ଫୋନ୍ଟିର ପଛପାଖଟି ୧୮ କ୍ୟାରଟ୍ ଧଳା ସୁନାରେ ନିର୍ମିତ। ରୁଷୀୟ ଅଳଙ୍କାର କମ୍ପାନି ‘କାଭିଆର’ ଓ ବ୍ରିଟିସ୍ ଅଳଙ୍କାର କମ୍ପାନି ‘ଗ୍ରାଫ୍’ ମିଳିତ ଭାବେ ଏଭଳି ମାତ୍ର ତିନିଟି ଆଇଫୋନ୍ ନିର୍ମାଣ କରିଛନ୍ତି। ପ୍ରକୃତରେ ‘ଡାଇମଣ୍ଡ୍ ସ୍ନୋଫ୍ଲେକ୍’ ହେଉଛି କାଭିଆର କମ୍ପାନିର ଏକ ଚର୍ଚ୍ଚିତ ସମ୍ପଦ।
ତାହାର ସ୍ନୋଫ୍ଲେକ୍ ହୀରା ହାରକୁ ଭାଙ୍ଗି ଗୋଟି ଗୋଟି କରି ହୀରାଖଣ୍ଡଗୁଡ଼ିକୁ ଆଇଫୋନ୍ର ଫଳକରେ ଖଞ୍ଜାଯାଇଛି। କାଭିଆର କମ୍ପାନି ଦ୍ବାରା ‘ସ୍ବରୋସ୍କି’ ନାମରେ ଆଉ ଏକ ଅପେକ୍ଷାକୃତ ଶସ୍ତା ବର୍ଗର ୨୦ଟି ଆଇଫୋନ୍ ଛଡ଼ାଯାଇଛି। ସେଥିରେ ପଛପାଖରେ ହୀରା ବଦଳରେ ସ୍ବରୋସ୍କି ନାମକ ଦାମୀ ରତ୍ନପଥର ଖଞ୍ଜାଯାଇଛି।