ମୌସୁମୀକୁ ଦୃଷ୍ଟିରେ ରଖି ଡ୍ରେନ୍‌‌ ସଫା

ମୌସୁମୀକୁ ଦୃଷ୍ଟିରେ ରଖି ଡ୍ରେନ୍‌‌ ସଫା

ଭୁବନେଶ୍ୱର: ଚଳିତ ମୌସୁମୀକୁ ଦୃଷ୍ଟିରେ ରଖି ବିଏମ୍‌‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଡ୍ରେନ୍‌‌ ଓ ସଫେଇ କାମର ସମୀକ୍ଷା କରିଛନ୍ତି। ବିଏମ୍‌‌ସି ମୁଖ୍ୟ କାର୍ୟ୍ୟାଳୟର ଏକାମ୍ର ସଭାଗୃହରେ ଆୟୋଜିତ ବୈଠକରେ ଚାଲୁ ରହିଥିବା କାର୍ୟ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଡ୍ରେନ୍‌‌ ସଫେଇ ହେବା ମାତ୍ରେ ଟ୍ରାକ୍ଟର ଯୋଗେ ବର୍ଜ୍ୟବସ୍ତୁ ଓ ପଙ୍କକୁ ଉଠାଇ ନିଆଯିବ। ଆବଶ୍ୟକସ୍ଥଳେ ଡ୍ରେନ ସଫେଇ କାମରେ ଡ୍ରୋନ୍‌‌ କ୍ୟାମେରା ଉପଯୋଗ କରାଯିବ। ଡ୍ରେନ୍‌‌ର ଦୁଇ କାନ୍ଥକୁ ସଫା କରାଯିବ। ଠିକା ସଂସ୍ଥାମାନେ ଆସନ୍ତା ୭ ଦିନ ମଧ୍ୟରେ ଡ୍ରେନ୍‌‌ ସଫା କାମ ଶେଷ କରିବେ। ବର୍ଷାଦିନ ପରେ ଆସନ୍ତା ନଭେମ୍ବରରୁ ଏପ୍ରିଲ ମଧ୍ୟରେ ୪୦ଟି ସ୍ଥାନରେ ଲାଗିଥିବା ଜାଲିରୁ ଅଳିଆ ବାହାର କରାଯିବ। ଡ୍ରେନ୍‌‌ ସଫେଇ କାମରେ ନିୟୋଜିତ ହେଉଥିବା ଶ୍ରମିକମାନଙ୍କୁ ଆବଶ୍ୟକ ସୁରକ୍ଷା ଓ ପିପିଇ କିଟ୍‌‌ ଯୋଗାଇ ଦିଆଯିବ। ଯାନ୍ତ୍ରିକ ପଦ୍ଧତିରେ ଆବର୍ଜନା ସଫାକୁ ପ୍ରାଥମିକତା ଦିଆଯିବ। ଡ୍ରେନରୁ ବାହାରୁ ଥିବା ପ୍ଲାଷ୍ଟିକ, ପଙ୍କ, ଘାସ ଇତ୍ୟାଦିକୁ ପୃଥକ କରାଯିବ। ସେହିଭଳି ସଫେଇ ପୂର୍ବ ଓ ପରବର୍ତ୍ତୀ ଫଟୋଚିତ୍ର ପୃଥକ୍‌‌ ଭାବେ ସଂଗୃହୀତ ହେବ। ବିପଦସଂକୁଳ ସ୍ଥାନରେ ବ୍ୟାରିକେଡ୍‌‌ ବ୍ୟବସ୍ଥା କରାଯିବ।

ସେହିଭଳି ଦରକାର ପଡ଼ିଲେ ଇଣ୍ଟରନାଲ ଡ୍ରେନ୍‌‌ରେ କଭର ପକାଇବାକୁ କମିଶନର କନିଷ୍ଠ ଯନ୍ତ୍ରୀ ଓ ସହାୟକ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଏହି ସମୀକ୍ଷା ବୈଠକବେଳେ କମିସନର ଶ୍ରୀ କୁଲାଙ୍ଗେ ନୟନଯୋରୀ-ପୁରୀ ମୁଖ୍ୟ କେନାଲରୁ ପଙ୍କୋଦ୍ଧାର, ଅଳିଆଛଣା ଜାଲି ସଫେଇ ଓ ମୁକୁଳା ଡ୍ରେନ୍‌‌ରେ ସ୍ଲାବ୍‌‌ ପକାଇବା ଆଦି କାର୍ୟ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ସୂଚନାଯୋଗ୍ୟ ଯେ ୧୦ଟି ମୁଖ୍ୟ ଡ୍ରେନ୍‌‌ର ସଫେଇ ସାଙ୍ଗକୁ ବିଏମ୍‌‌ସିର ସିଧାସଳଖ ତଦାରଖରେ ଥିବା ୱାର୍ଡ ନମ୍ବର ୪, ୫ ଓ ୫୦ର ଡ୍ରେନ୍‌‌ କାର୍ୟ୍ୟକୁ ମିଶାଇ ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୪ କୋଟି ୨୭ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ଏ ନେଇ ଡ୍ରେନ୍‌‌ ଉପବିଭାଗର ମୁଖ୍ୟ ଗୌତମ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।