ବିଜୟ ହାସଲ ପରେ ଆଜି ଶପଥ ନେବେ ଦୀପାଳି

ବିଜୟ ହାସଲ ପରେ ଆଜି ଶପଥ ନେବେ ଦୀପାଳି

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟ ହାସଲ କରିବା ପରେ ରବିବାର ନବୀନ ନିବାସରେ ପହଞ୍ଚିଛନ୍ତି ନବ ନିର୍ବାଚିତା ବିଧାୟିକା ଦୀପାଳି ଦାସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୀପାଳିଙ୍କୁ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବାକୁ କହିଛନ୍ତି । ଏହା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ୟ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ।ଅପରପକ୍ଷେ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାରେ ଶପଥ ଗ୍ରହଣ କରିବେ ଦୀପାଳି ଦାସ । ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ଶପଥପାଠ କରାଇବେ ବୋଲି ସୂଚନା ମିଳିଛି ।


ସୂଚନା ମୁତାବକ, ରବିବାର ଝାରସୁଗୁଡ଼ାରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ଦୀପାଳି । ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରରେ ଦୀପାଳି କହିଥିଲେ ଯେ ଏ ବିଜୟ ଝାରସୁଗୁଡ଼ାବାସୀଙ୍କର, ମୁଖ୍ୟମନ୍ତ୍ରୀଙ୍କର ଓ ନବ ଦାସଙ୍କର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ବାପାଙ୍କ ଦ୍ୱାରା କରାଯାଇଥିବା ବିକାଶ କାର୍ୟ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।