ବିଜୟଙ୍କୁ ଧର୍ମେନ୍ଦ୍ର କହିଲେ, ମହାକାଳପଡ଼ା ଯାଆନ୍ତୁ
ବିଜୟଙ୍କୁ ଧର୍ମେନ୍ଦ୍ର କହିଲେ, ମହାକାଳପଡ଼ା ଯାଆନ୍ତୁ
admin
Apr 17, 2019 - 07:38
Updated: Apr 17, 2019 - 07:38
ଭୁବନେଶ୍ୱର : ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଯାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଉଭୟ ନେତାଙ୍କ ପାଇଁ ପାଟକୁରାରେ ପ୍ରଚାର କରିଛନ୍ତି । ତେବେ ଭାଷଣ କାଳରେ ଧର୍ମେନ୍ଦ୍ର ବିଜେଡ଼ି ନେତାମାନଙ୍କୁ ତେରଚ୍ଛା ବାଣ ମାରିଥିବାବେଳେ ବିଜୟ ମହାପାତ୍ର ମହାକାଳପଡ଼ା ଯିବା ଦରକାର ବୋଲି କହିଥିଲେ । ଯାହାକୁ ନେଇ ଦଳୀୟ ଅଳିନ୍ଦରେ ଚର୍ଚ୍ଚା ଜୋରଧରିଛି ।
ବିଜୟ ସଂକଳ୍ପ ସମାବେଶକୁ ଉଦବୋଧନ ଦେବା ବେଳେ ନବୀନଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ପାଟକୁରା ବିଜେଡ଼ି ବିଧାୟକ ପ୍ରାର୍ଥୀଙ୍କୁ ସେ ମାମୁଁ ବୋଲି ସମ୍ବୋଧନ କରିଥିବାବେଳେ ମହାକାଳପଡ଼ାରେ ଜଣେ ମହୀରାବଣ ଅଛନ୍ତି ବୋଲି କହିଥିଲେ । ସେଇ ମହୀରାବଣକୁ ବଧ କରିବା ପାଇଁ ବିଜୟ ମହାପାତ୍ର ପାଟକୁରା ଯିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ । ମହୀରାବଣକୁ ହଟାଇବା ପାଇଁ ବିଜୟ ବାବୁ ପାଟକୁରା ଯିବା ଦରକାର କି ନାହିଁ ବୋଲି ସେ ଉପସ୍ଥିତ କର୍ମୀଙ୍କୁ ପ୍ରଶ୍ନ କରିଥିଲେ । ସେପଟୁ ଉତର ମଧ୍ୟ ହଁ ଆସିଥିଲା । ପରେ ବିଜୟଙ୍କୁ ଲକ୍ଷ୍ୟ କରି ଆପଣ ମହାକାଳପଡ଼ା ଯାଆନ୍ତୁ ବୋଲି ଧର୍ମେନ୍ଦ୍ର କହିଥିଲେ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କେନ୍ଦ୍ରାପଡ଼ାରେ ବିଜୟ ଓ ବୈଜୟନ୍ତଙ୍କୁ ହରାଇବା ପାଇଁ ଧର୍ମେନ୍ଦ୍ର ଉଦ୍ୟମ କରୁଛନ୍ତି ବୋଲି ଅପପ୍ରଚାର କରାଯାଉଛି । ଏମିତିକି ବୈଜୟନ୍ତଙ୍କ ସମର୍ଥକମାନେ ସୋସିଆଲ ମିଡ଼ିଆରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିବାକୁ ବି ପଛାଉନାହାନ୍ତି । ତେବେ ଧର୍ମେନ୍ଦ୍ର ଉଭୟଙ୍କ ପାଇଁ ପ୍ରଚାର କରି ଏହି ଅପପ୍ରଚାରର ଯବନିକା ପକାଇଛନ୍ତି ।
ତେବେ ବିଜୟଙ୍କୁ ମହାକାଳପଡ଼ା ଯିବା ପାଇଁ ଧର୍ମେନ୍ଦ୍ରଙ୍କ ଇଙ୍ଗିତ ମଧ୍ୟ ବେଶ ଚର୍ଚ୍ଚା ସୃଷ୍ଟି କରିଛି । ପୂର୍ବରୁ ବିଜୟ ମହାକାଳପଡ଼ାରେ ଲଢ଼ୁଥିଲେ । କିନ୍ତୁ ଏଥର ପାଟକୁରା ଫେରିଛନ୍ତି । ପାଟକୁରା ଭଳି ବିଜୟଙ୍କର ମହାକାଳପଡ଼ାରେ ବି ଭଲ ଭୋଟ ରହିଛି । କିନ୍ତୁ ସେ ପାଟକୁରାରେ ବ୍ୟସ୍ତ ରହୁଥିବାରୁ ମହାକାଳପଡ଼ା ଯାଉନାହାନ୍ତି । ଫଳରେ ସେଠାରେ ବିଜେପି ପ୍ରାର୍ଥୀଙ୍କ ସ୍ଥିତି ସୁଦୃଢ଼ ହୋଇପାରୁନାହିଁ । ଯାହାକୁ ଅନୁଶୀଳନ କରିବା ପରେ ଧର୍ମେନ୍ଦ୍ର ଏଭଳି କହିଥିବା କୁହାଯାଉଛି ।