ରାଜ୍ୟରେ ଡେଙ୍ଗୁ ଉପର ମୁହାଁ
ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରେ ଡେଙ୍ଗୁ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ଚଳିତବର୍ଷ ଆରମ୍ଭରୁ ଦୈନିକ ୨ଶହରୁ ଅଧିକ ରୋଗୀ ଚିହ୍ନଟ ହେଉଥିବା ବେଳେ ଏବେ ତାହା ଶହେକୁ ଖସି ଆସିଛି। ତଥାପି ସ୍ଥିତି ଚିନ୍ତାଜନକ ରହିଛି। ଏଥିସହିତ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮ହଜାର ମୁହାଁ ହୋଇଛି। ବିଗତ ୫ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ଡେଙ୍ଗୁ ସଂକ୍ରମଣ ବୋଲି କୁହାଯାଉଛି।
ଚଳିତମାସ ମଧ୍ୟଭାଗ ସୁଦ୍ଧା ଓଡ଼ିଶା ଡେଙ୍ଗୁ ରୋଗୀଙ୍କ ତାଲିକାରେ ଦେଶରେ ଚତୁର୍ଥ ସ୍ଥାନରେ ରହିଛି। ଓଡ଼ିଶା ଉପରେ କେରଳ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ରାଜ୍ୟ ରହିଛନ୍ତି। ଏବେ ଯେଉଁଭଳି ଢଙ୍ଗରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି ବର୍ଷ ଶେଷ ବେଳକୁ ଦେଶବ୍ୟାପୀ ଏହି ତାଲିକାରେ ଓଡ଼ିଶା ଆହୁରି ଉପରକୁ ଉଠିପାରେ।
ଏନ୍ଭିବିଡିସିପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୮ମସିହାରେ ରାଜ୍ୟରେ ୫୧୯୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୯ରେ ଏହା ୩୭୫୮କୁ ଖସି ଆସିଥିଲା। ୨୦୨୦ରେ କୋଭିଡ ମହାମାରୀ ବିଶ୍ବକୁ କବଳିତ କରିଥିବା ବେଳେ ଏହି ବର୍ଷ ରାଜ୍ୟରେ ମାତ୍ର ୪୯୬ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିଲେ। ହେଲେ ୨୦୨୧ରେ ପୁଣିଥରେ ରାଜ୍ୟରେ ମୁଣ୍ଡ ଟେକିଥିଲା ଡେଙ୍ଗୁ। ଏହିବର୍ଷ ୭୫୪୮ ଆକ୍ରାନ୍ତ ଚିହ୍ନଟ ହେବା ସହିତ ବିଗତ ବର୍ଷ ତୁଳନାରେ ସର୍ବାଧିକ ସଂକ୍ରମଣ ରହିଥିଲା। ୨୦୨୨ରେ ପୁଣିଥରେ ୭୦୬୩ ରୋଗୀ ଚିହ୍ନଟ ହୋଇଥିଲେ। ହେଲେ ଚଳିତବର୍ଷ ସବୁ ରେକର୍ଡକୁ ଭାଙ୍ଗିଛି ଡେଙ୍ଗୁ। ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖ ସୁଦ୍ଧା ରାଜ୍ୟରେ ୭୭୯୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଏବେ ଲଗାତାର ଭାବେ ବର୍ଷା ହେଉଥିବାରୁ ଆସନ୍ତା ୧ମାସ ପର୍ୟ୍ୟନ୍ତ ଡେଙ୍ଗୁ ସଂକ୍ରମଣ ଜାରି ରହିପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି।
ଅପରପକ୍ଷରେ ଏହି ସମୟରେ ଗତବର୍ଷ ଓ ଚଳିତବର୍ଷର ଡେଙ୍ଗୁ ରୋଗୀଙ୍କ ପରିସଂଖ୍ୟାନକୁ ଦେଖିଲେ ରାଜ୍ୟର ଡେଙ୍ଗୁ ସ୍ଥିତି ଭୟଙ୍କର ଥିବା ବାରି ହୋଇପଡ଼ୁଛି। ଗତବର୍ଷ ସେପ୍ଟେମ୍ବର ୨୬ ବେଳକୁ ରାଜ୍ୟରେ ୪୦୪୬ ଆକ୍ରାନ୍ତ ବାହାରିଥିବା ବେଳେ ଚଳିତବର୍ଷ ରୋଗୀଙ୍କ ସଂଖ୍ୟା ୭୭୯୪ରେ ପହଞ୍ଚିସାରିଲେଣି। ଖୋର୍ଧା ଜିଲ୍ଲରେ ସର୍ବାଧିକ ୩୪୧୨, ପୁରୀ ୯୦୮, ବାଲେଶ୍ବର ୬୭୮, କଟକ ୬୭୧, ଜଗତସିଂହପୁର ୩୯୩, ସୁନ୍ଦରଗଡ଼ ୨୪୨ରୋଗୀ ଚିହ୍ନଟ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୨ଜଣ ବାହାରିଛନ୍ତି। ରୋଗୀଙ୍କ ସଂଖ୍ୟା ବଢ଼ିଥିଲେ ହେଁ ସରକାରୀଭାବେ ଜଣେ ହେଲେ ଡେଙ୍ଗୁରେ ପ୍ରାଣ ହରାଇ ନ ଥିବା କୁହାଯାଇଛି। ଡେଙ୍ଗୁକୁ ନେଇ ବ୍ୟାପକ ସଚେତନତା କାରଣରୁ ଡେଙ୍ଗୁ ଲକ୍ଷଣ ଦେଖାଗଲେ ଲୋକମାନେ ପରୀକ୍ଷା ପାଇଁ ଆଗେଇ ଆସୁଛନ୍ତି। ଏ ଦୃଷ୍ଟିରୁ ରାଜ୍ୟରେ ଚଳିତବର୍ଷ ୧ଲକ୍ଷ ୨ହଜାରରୁ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି। ଯାହାକି ଅନ୍ୟ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ।




admin 