କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
admin
Aug 14, 2019 - 06:29
Updated: Aug 14, 2019 - 06:29
ଭୁବନେଶ୍ୱର : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫି ସିବିଏସ୍ଇ ବଢ଼ାଇବା ପରେ ଏହାକୁ ନେଇ ଚାରିଆଡ଼ୁ ବିରୋଧ ଆରମ୍ଭ ହୋଇଯାଇଛି । ଆଜି ଏ ନେଇ ମୁଖ୍ୟମନ୍ତ୍ରୁ ନବୀନ ପଟ୍ଟନାୟକ ବି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କଙ୍କୁ ଚିଠି ଲେଖିଛନ୍ତି । ଏହି ବର୍ଦ୍ଧିତ ଫି’କୁ ନେଇ ପୁନର୍ବିଚାର କରିବାକୁ ସିବିଏସ୍ଇ ଉପରେ ଚାପ ପକାଇବାକୁ ନବୀନ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ନବୀନ ଲେଖିଛନ୍ତି ଯେ ପରୀକ୍ଷା ଫି ଅହେତୁକଭାବେ ବଢ଼ାଇ ଦିଆଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଫି ୨୪ ଗୁଣା ବଢ଼ାଇବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଅପରପକ୍ଷେ ଓଡ଼ିଶା ସରକାର ଆର୍ଥିକ ଓ ସାମାଜିକ ଅନୁନ୍ନତ ଛାତ୍ରଛାତ୍ରୀଙ୍କ ପାଇଁ ଗ୍ରାମାଞ୍ଚଳରେ ୨୦୦ ରୁ ଅଧିକ ଇଂରାଜୀ ମାଧ୍ୟମିକ ସ୍କୁଲ ଖୋଲିଛନ୍ତି । ଏହି ସ୍କୁଲ ଗୁଡ଼ିକ ସିବିଏସ୍ଇ ଦ୍ୱାରା ଅନୁବନ୍ଧିତ । ଏହି ପରୀକ୍ଷା ଫି’ବୃଦ୍ଧି ନିଷ୍ପତ୍ତି ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ତେଣୁ ଏହି ପ୍ରସଙ୍ଗରେ ଆପଣ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ସୂଚନା ଯୋଗ୍ୟ, ସିବିଏସ୍ଇ ପରୀକ୍ଷା ଫି’କୁ ଏସ୍ସି ଓ ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ୫୦ ଟଙ୍କାରୁ ୧୨ ଶହ ଟଙ୍କାକୁ ଏବଂ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ୭୫୦ଟଙ୍କାରୁ ୧୫ ଶହ ଟଙ୍କାକୁ ବଢ଼ାଇଛନ୍ତି । ଏଥିସହ ଲେଟ୍ ଫି ୨ ହଜାର ଟଙ୍କା ଅତିରିକ୍ତ ବିଷୟରେ ପରୀକ୍ଷା ପାଇଁ ୩ ଶହ ଟଙ୍କା ଏବଂ ମାଇଗ୍ରେସନ ବାବଦକୁ ୩୫୦ ଟଙ୍କା ଫି ଦେବାକୁ ଦୁଇ ଦିନ ତଳେ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ପରେ ଏହାକୁ ନେଇ ସାରା ଦେଶରେ ବିରୋଧ ଆରମ୍ଭ ହୋଇଛି ।
ଆଜି ରାଜ୍ୟ ଅଭିଭାବକ ମହାସଂଘର ୬ ଜଣିଆ ପ୍ରତିନିଧି ଦଳ ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଥିରେ ହସ୍ତକ୍ଷେପ କରିବା ସହ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଅନୁରୋଧ କରିଥିଲେ । ଏହା ସହି ବର୍ଦ୍ଧିତ ଫି ପ୍ରତ୍ୟାହାର କରି ନେବାକୁ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ, ବିଦ୍ୟାଳୟ ଶିକ୍ଷା ଏବଂ ସ୍ୱାକ୍ଷରତା ବିଭାଗ ସଚିବ ଲିନା ରାୟ ଏବଂ ସିବିଏସ୍ଇ ଅଧ୍ୟକ୍ଷା ଅନିତା କରୱାଲଙ୍କ ନିକଟକୁ ଚିଠି ଲେଖିଛନ୍ତି ।