ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବୀମା, ହେଲ୍‌ମେଟ୍‌ ବାଧ୍ୟତାମୂଳକ : ଦିଲ୍ଲୀ ହାଇ‌କୋର୍ଟ

ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବୀମା, ହେଲ୍‌ମେଟ୍‌ ବାଧ୍ୟତାମୂଳକ : ଦିଲ୍ଲୀ ହାଇ‌କୋର୍ଟ

ନୂଆଦିଲ୍ଲୀ : ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରୁଥିବା କିଛି ଲୋକ ହେଲ୍‌ମେଟ୍‌ ପିନ୍ଧୁନଥିବାର ଦେଖାଯାଉଛି। କେତେକ ସ୍ଥାନରେ ଏହାକ‌ୁ ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀଙ୍କ ସହ ଲୋକଙ୍କ ଯୁକ୍ତିତର୍କ ଭଳି ଘଟଣା ଦେଖିବାକୁ ମିଳୁଛି। ପେଟ୍ରୋଲ୍‌ ଚାଳିତ ଦୁଇଚକିଆ ଗାଡ଼ି ପାଇଁ ବୀମା ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ ଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ମଧ୍ୟ ତାହା ପ୍ରଯୁଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।‌ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବି‌ରୋଧରେ ଜରିମାନା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦୁଇଚକିଆ ଇଲେକ୍ଟ୍ରିକ୍ ଗାଡ଼ି (ଇଭି) ପାଇଁ ବୀମା ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିବାକୁ ଦାଖଲ କରାଯାଇଥିବା ଏକ ଜନସ୍ବାର୍ଥ ମାମଲାକୁ ଖାରଜ କରି ଦିଲ୍ଲୀ ହାଇକୋର୍ଟ ଏହା କହିଛନ୍ତି। ସବୁ ପ୍ରକାର ଇଲେକ୍ଟ୍ରିକ୍ ମୋଟରସାଇକଲ୍ ଓ ସ୍କୁଟର ଚାଳକଙ୍କ ପାଇଁ ହେଲ୍‌ମେଟ୍‌ ବାଧ୍ୟତାମୂଳକ କରିବାକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏହି ମାମଲାରେ କୋର୍ଟଙ୍କୁ ନିବେଦନ କରାଯାଇଥିଲା। ଆବେଦନକାରୀ ନିଜ ଆଡ଼ୁ କୌଣସି ଗବେଷଣା ନକରି ମାମଲା ରୁଜୁ କରିଛନ୍ତି। ଏଭଳି ପିଆଇଏଲ୍‌ ଦ୍ବାରା କୋର୍ଟଙ୍କ ସମୟ ଅପଚୟ ହେଉଥିବା ବେଳେ ନ୍ୟାୟ ପାଇବାକୁ ଯୋଗ୍ୟ ଲୋକମାନଙ୍କ ପାଇଁ ନ୍ୟାୟ ବିଳମ୍ବ ହେଉଛି। ଯଥାର୍ଥ ଆକଳନ ନକରି ଏଭଳି ମାମଲା ରୁଜୁ କରିବାରୁ ବିରତ ରହିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।