ଦାଉଦ ଇବ୍ରାହିମ୍‌କୁ ହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ଦାଉଦ ଇବ୍ରାହିମ୍‌କୁ ହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

କରାଚି : ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ୍ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି । କେହି ବିଷ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅନୁମାନ କରାଯାଉଛି । ଗୁରୁତର ଅବସ୍ଥାରେ ତାଙ୍କୁ ପାକିସ୍ତାନର କରାଚିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଷକ୍ରିୟା ଯୋଗୁ ଦାଉଦଙ୍କର ଏପରି ଅବସ୍ଥା ହୋଇଥିବା ଆଲୋଚନା ହେଉଥିବା ବେଳେ ସେ ଏବେ ଗୁରୁତର ରୋଗରେ ପୀଡ଼ିତ ଥିବା ବି ଚର୍ଚ୍ଚା ଚାଲିଛି। କିନ୍ତୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଦାଉଦ୍ ଇବ୍ରାହିମ୍‌କୁ ଗତକାଲିଠୁ କରାଚିରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କୁହାଯାଉଛି । ଦାଉଦ୍ ଇବ୍ରାହିମକୁ ହସ୍ପିଟାଲ୍ ଭିତରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ଏବଂ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡିଛି । କେବଳ ଉପରିସ୍ଥ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ସେହି ଫ୍ଲୋରକୁ ପ୍ରବେଶ ଅନୁମତି ରହିଛି । ଅଣ୍ଡରୱାର୍ଲଡ ଡନର ସମ୍ପର୍କୀୟ ଅଲିଶାହ ପାର୍କର ଓ ସାଜିଦ ବାଗଲେଙ୍କ ଠାରୁ ମୁମ୍ବାଇ ପୁଲିସ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି । ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ୍ ।

ଅନ୍ୟପଟେ ଦାଉଦ୍ ଇବ୍ରାହିମ୍‌କୁ ନେଇ ପାକିସ୍ତାନ ପକ୍ଷରୁ କୌଣସି ସୂଚନା ଦିଆଯାଉ ନ ଥିବା ବେଳେ ମୁମ୍ବାଇ ପୁଲିସ୍‌ ଦାଉଦଙ୍କ ସମ୍ପର୍କୀୟଙ୍କଠାରୁ ତଥ୍ୟ ଯୋଗାଡ଼ କରିବାକୁ ଚେଷ୍ଟା ଚଳାଇଛି।