ଭଗବାନ ବିଷ୍ଣୁଙ୍କ ଦାମୋଦର ବେଶ
ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଗୋଟିଏ ନାମ ‘ଦାମୋଦର’ । ତାଙ୍କର ଅନ୍ୟାନ୍ୟ ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ । ‘ଗୀତା’ରେ ମାର୍ଗଶିର ମାସର ଶ୍ରେଷ୍ଠତା ସୂଚାଇ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର । ତାଙ୍କର ମାର୍ଗଶିର ମାସର ନାମ ‘କେଶବ’ । ସେହିପରି, ସେ ପୌଷରେ ‘ନାରାୟଣ’, ମାଘରେ ‘ମାଧବ’, ଫାଲଗୁନରେ ‘ଗୋବିନ୍ଦ’, ଚୈତ୍ରରେ ‘ବିଷ୍ଣୁ’, ବୈଶାଖରେ ‘ମଧୁସୂଦନ’, ଜ୍ୟେଷ୍ଠରେ ‘ତ୍ରିବିକ୍ରମ’, ଆଷାଢରେ ‘ବାମନ’, ଶ୍ରାବଣରେ ‘ଶ୍ରୀଧର’, ଭାଦ୍ରବରେ ‘ହୃଷୀକେଶ’, ଏବଂ ଆଶ୍ୱିନରେ ‘ପଦ୍ମନାଭ’ । ସେହିପରି କାର୍ତ୍ତିକରେ ‘ଦାମୋଦର’ ।
କାର୍ତ୍ତିକ ମାସର ଏହି ‘ଦାମୋଦର’ ନାମ ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହ ଜଡିତ । ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡି । ‘ଦାମ’ ସହ ‘ଉଦର’ ମିଶି ବହୁବ୍ରୀହି ସମାସରେ ଗଠିତ ହୋଇଛି ‘ଦାମୋଦର’ ଶବ୍ଦ । ‘ଉଦର’ ଅର୍ଥ ପେଟ । ଏଣୁ ‘ଦାମ’ ବା ରଜ୍ଜୁ ଦ୍ୱାରା ବନ୍ଧାଯାଇଥିଲା ଯାହାଙ୍କର ‘ଉଦର’, ସେ ‘ଦାମୋଦର’ । ପୌରାଣିକ ଉପାଖ୍ୟାନ ଅନୁସାରେ, ଶ୍ରୀକୃଷ୍ଣ ପିଲାଦିନେ ଖୁବ୍ ଖୁଜୁବୁଜିଆ ଥିଲେ । ତେଣୁ ମାଆ ଯଶୋଦା ତାଙ୍କ ପେଟ ତଳେ ବା ଅଂଟାରେ ଏକ ଦଉଡି ବାନ୍ଧି, ତାଙ୍କୁ ଖଟେଇ ଦେଇ, ଗୃହକର୍ମ କରୁଥିଲେ । ତେଣୁ ତାଙ୍କର ନାଆଁ ହେଲା ଦାମୋଦର ।




admin 