ଦେଶରେ ଦିନକରେ ୭ହଜାର ୧୭୧ କରୋନା ସଂକ୍ରମିତ
ଦିନକୁ କମିବାରେ ଲାଗିଛି କରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୭ହଜାର ୧୭୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲିଏହି ସଂଖ୍ୟା ୭ ହଜାର ୫୩୩ ରହିଥିଲା । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୫୧ ହଜାର ୩୧୪ରେ ପହଂଚିଛି । ସେହିପରି ଦିନକରେ ୨୫ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୫୦୮କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶରେ ୫୧ ହଜାର ୩୧୪ ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ମୃତ୍ୟୁବରଣ କରିଥିବା ୨୫ଜଣଙ୍କ ମଧ୍ୟରୁ ୧୫ଜଣ କେରଳର ବୋଲି ଜଣାପଡିଛି । ଦିନକରେ ଆଉ ୯ ହଜାର ୬୬୯ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୫୬,୬୯୩କୁ ବୃଦ୍ଧି ପାଇଛି । ଦୈନିକ ପଜିଟିଭ ଏବଂ ସାପ୍ତାହିକ ପଜିଟିଭ ରେଟ୍ ଖସିଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୦ ପ୍ରତିଶତ ଅଛି । ଅନ୍ୟପଟେ ୧ଲକ୍ଷ ୯୪ ହଜାର ୧୩୪ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୭ ହଜାର ୧୭୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ୱିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାର ୮୭୫ ଜଣ କୋରୋନା ଟିକା ନେଇଛନ୍ତି ।
ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଦୈନିକ ସଂକ୍ରମଣ ୧୨ ହଜାରରେ ପହଂଚି ଥିଲା । ଯେଉଁ କାରଣରୁ ସମସ୍ତଙ୍କ ମଧ୍ୟରେ ଚତୁର୍ଥ ଲହର ଭୟ ସୃଷ୍ଟି ହୋଇଥିଲା ।




admin 