ପାର୍ବଣ ସମୟରେ କଟକର ସମସ୍ତ ଛୋଟ ବଡ ହୋଟେଲ ଉପରେ ନଜର ରଖିବ କମିଶନରେଟ୍ ପୋଲିସ
କଟକରେ କଡାକଡି ହେଲା ସରାଇ ନିୟମ 1867 । କଟକ ସହରରେ ଗଣେଶ ପୂଜାରୁ ଆରମ୍ଭ ହୁଏ ପାର୍ବଣର ଆସର । ବିଶେଷକରି ଏହାକୁ ଲାଗି ଶାରଦୀୟ ଦୁର୍ଗାପୂଜା, କାଳୀପୂଜା କାର୍ତ୍ତିକସ୍ୱର ପୂଜା ଓ଼ ବାଲିଯାତ୍ରା ଉତ୍ସବ, 3ମାସ ଧରି ସହରକୁ ବାହାର ରାଜ୍ୟ ଏପରିକି ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ । ସହରର ବିଭିନ୍ନ ହୋଟେଲ ଲଜରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବ । ଏଥି ସହିତ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ସଂଗଠିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସହରରେ ଥିବା ପ୍ରାୟ 150 ରୁ ଉର୍ଦ୍ଧ ହୋଟେଲ ଲଜରେ ସରାଇ ନିୟମ 1867କୁ କଡାକଡି ଭାବରେ ଲାଗୁ କରିବା ପାଇଁ ଡିସିପି ନିର୍ଦେଶ ଦେଇଛନ୍ତି ।ନିୟମ ମୁତାବକ ସମସ୍ତେ ଏଥର ରହିବାକୁ ଆସୁଥିବା ଆଗନ୍ତୁକଙ୍କ ସବିଶେଷ ବିବରଣୀ ପ୍ରତିଦିନ ନିକଟସ୍ଥ ଥାନା ଓ଼ ଡିସିପି କାର୍ଯ୍ୟାଳୟ ରେ ଦେବେ । ଖିଲାପକାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ଅତିରିକ୍ତ ଡିସିପି ସ୍ପଷ୍ଟ କରିଛନ୍ତି ।
ସେପଟେ କମିଶନରେଟ ପୋଲିସର ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି କଟକ ସହରର ହୋଟେଲ ମାଲିକ ଓ଼ ପରିଚାଳକ । ପୂର୍ଵ ନିୟମ ମୁତାବକ ହୋଟେଲ ପ୍ରବେଶ ଓ଼ ପ୍ରସ୍ଥାନ ପଥରେ ସିସିଟିଭି ଲାଗିବା ସହିତ ହୋଟେଲ ପରିସରରେ ମଧ୍ୟ କ୍ୟାମେରା ଲଗାଯାଇଛି । ଯାହାର ରେକଡିଂ ରଖଯାଉଛି। ପ୍ରତ୍ୟେକ ଗ୍ରାହକଙ୍କ ଆଧାର, ପରିଚୟ ପତ୍ର ସହିତ ଫଟୋ ଉଠାଯାଇ ରଖାଯାଉଛି । ଏ ସମସ୍ତ ବିବରଣୀ ଥାନାକୁ ଦିଆଯାଉଛି. ଏବେ ସରାଇ ନିୟମ ମୁତାବକ ଏ ସବୁ ଡିସିପି ଅଫିସରେ ମଧ୍ୟ ଦେବାକୁ ପଡିବ । ତେବେ ଏହି ତଥ୍ୟ ମାନୁଆଲ ବଦଳରେ ଯଦି ଅନଲାଇନରେ ପ୍ରଦାନ ବ୍ୟବସ୍ଥା କରାଯାନ୍ତା ତେବେ ସମୟ ବଞ୍ଚିବା ସହିତ ପୋଲିସ ତୁରନ୍ତ ତଥ୍ୟ ହାସଲ କରିପାରନ୍ତା ବୋଲି ସେମାନେ କହିଛନ୍ତି ।
ପାର୍ବଣ ହେବ କ୍ରାଇମ୍ ଫ୍ରି ଯୋନ । ବାହାରୁ କିଏ ଆସୁଛି କିଏ ଯାଉଛି ସବୁରି ଉପରେ କଡ଼ା ନଜର ରଖାଯିବ, କିଛି ସୁରାଗ ମିଳିଲେ ଆଖି ପିଚୁଲକେ ଆକ୍ସନ ମୁଡ୍କୁ ଆସିବ ପୋଲିସ ।