ଅଧିକ କଫି ପିଉଛନ୍ତି କି ,ସାବଧାନ!

ଅଧିକ କଫି ପିଉଛନ୍ତି କି  ,ସାବଧାନ!

ଥକାପଣ ମେଣ୍ଟାଇବାକୁ ତଥା ରିଫ୍ରେଶ୍‌ ରହିବାକୁ ଆଜିକାଲିର ଯୁବବର୍ଗ ମୁଖ୍ୟତଃ କଫି ସେବନ ଉପରେ ଗୁରୁତ୍ୱ ଦେଇଥାନ୍ତି। କାରଣ କଫିରେ ଥିବା କ୍ୟାଫିନ୍‌ ତୁରନ୍ତ ଶକ୍ତି ଯୋଗାଇଥାଏ। ସୀମିତ ମାତ୍ରାରେ କଫି ସେବନ ସ୍ୱାସ୍ଥ୍ୟ ପାଇଁ ହିତକର, ମାତ୍ର ଏହାର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଆସନ୍ତୁ ଜାଣିବା ପ୍ରତିଦିନ କେତେ କପ୍‌ କଫି ପିଇଲେ ଆପଣଙ୍କୁ ଭୋଗିବାକୁ ପଡ଼ିବନି କିଛି ଶାରୀରିକ ଅସୁସ୍ଥ ।

ଏକ୍ସପର୍ଟଙ୍କ ସୂଚନା ଅନୁଯାୟୀ, ପ୍ରତିଦିନ ୪ଶହ ମିଲିଗ୍ରାମରୁ ଅଧିକ କ୍ୟାଫିନ୍‌ ଗ୍ରହଣ କରିବା ଉଚିତ ନୁହେଁ। ଏକ କପ୍‌ କଫିରେ ୯୫ ମିଲିଗ୍ରାମ କ୍ୟାଫିନ୍‌ ଥାଏ। ତେଣୁ ଦିନ ସାରା ଆପଣ ୪ କପ୍‌ କଫି ଗ୍ରହଣ କଲେ ଏହା ଶରୀର ପାଇଁ ଯଥେଷ୍ଟ ।

୪ରୁ ୬ ବର୍ଷର ଛୋଟ ଛୁଆ ଯଦି କଫି ସେବନ କରୁଛନ୍ତି ତେବେ ସେମାନେ ୪୫ ମିଲିଗ୍ରାମରୁ ଅଧିକ କ୍ୟାଫିନ୍‌ ସେବନ କରିବା ଉଚିତ ନୁହେଁ। ୭ରୁ ୧୨ ବର୍ଷର ପିଲା ୭୦ ମିଲିଗ୍ରାମ ମଧ୍ୟରେ କ୍ୟାଫିନ୍‌ ସେବନ କରିବା ଉଚିତ ।

ପାଠପଢ଼ା ସମୟରେ ରାତି ଅନିଦ୍ରା ରହିବା ପାଇଁ ପିଲାମାନେ କଫି ସେବନ ଉପରେ ଗୁରୁତ୍ୱ ଦେଇଥାନ୍ତି। ସେମାନେ ଶହେରୁ ୨ଶହ ମିଲିଗ୍ରାମ କ୍ୟାଫିନ୍‌ ସେବନ କରି ପାରିବେ।

କଫି ପିଇଲେ ତାହା ୧୫ ମିନିଟ୍‌ ମଧ୍ୟରେ ଆପଣଙ୍କୁ ଏନର୍ଜୀ ଯୋଗାଇ ଦେଇଥାଏ। ମାତ୍ର ତାହା ଶରୀରରୁ ସମ୍ପୂର୍ଣ୍ଣ ଭାବେ ନିର୍ଗତ ହେବାକୁ ୧୦ ଘଣ୍ଟାରୁ ଅଧିକ ସମୟ ଲାଗିଥାଏ। ତେଣୁ ଜଗିରଖି ଏହାକୁ ସେବନ କରନ୍ତୁ।

ଜଣେ ଉଚ୍ଚ ରକ୍ତଚାପ ରୋଗୀ ହୋଇଥିଲେ ଅଧିକ କ୍ୟାଫିନ୍‌ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ। କାରଣ ଏହାକୁ ପିଇବା ପରେ ପରେ ରକ୍ତଚାପ କ୍ଷୀପ୍ର ବେଗରେ ବଢ଼ି ଯାଇଥାଏ । ଏହାଦ୍ୱାରା ହାର୍ଟବିଟ୍‌ ମଧ୍ୟ ବଢ଼ିପାରେ। ଫଳରେ ବିଭିନ୍ନ ହୃଦରୋଗ ବାହାରିବାର ବି ଆଶଙ୍କା ଦେଖାଦିଏ ।

ଅଧିକ କଫି ସେବନ କଲେ ପେଟ ରୋଗ ବି ବାହାରିଥାଏ। ଯେପରି ଅଧିକ ହରମୋନ ରିଲିଜ ଯୋଗୁ ଗ୍ୟାସ୍‌ ସମସ୍ୟା ଆରମ୍ଭ ହୋଇଥାଏ । ଫଳରେ ଆପଣ ଗ୍ୟାଷ୍ଟ୍ରିକ, ଏସିଡିଟି, ଡାଇରିଆ ଆଦି ରୋଗ ଭୋଗି ପାରନ୍ତି।

ଆପଣ ଅନିଦ୍ରାଜନିତ ରୋଗରେ ପୀଡ଼ିତ ଥିଲେ କେବେ ବି ଅଧିକ କଫି ସେବନ କରନ୍ତୁ ନାହିଁ। ଏହାର ଖୁବ୍‌ ନକରାତ୍ମକ ପ୍ରଭାବ ଶରୀର ଉପରେ ପଡ଼ିପାରେ। ଅଧିକ କଫି ସେବନ ଦ୍ୱାରା ହାଡଜନିତ ରୋଗ ବି ଭୋଗିବାକୁ ପଡ଼ିପାରେ।

ଆପଣ ନିଜ ଦୈନଦିନ ରୁଟିନ୍‌ରେ କଫି ସେବନ କରିବାକୁ ଚାହୁଁଥିଲେ, ଜାଣନ୍ତୁ ଏହା ସେବନ କରିବାର ପ୍ରକୃଷ୍ଟ ସମୟ । ସକାଳୁ ଉଠିବା ପରେ ଶରୀର ଶକ୍ତିହୀନ ପରି ଲାଗିଥାଏ। ଉକ୍ତ ସମୟରେ ଇନଷ୍ଟା ଏନର୍ଜୀ ପାଇଁ ଆପଣ କଫି ସେବନ କରି ପାରନ୍ତି। ଏହାବାଦ ଅପରାହ୍ନ ବି କଫି ସେବନ କରିବା ପାଇଁ ଉପଯୁକ୍ତ ସମୟ। ହେଲେ ବିଳମ୍ବିତ ରାତିରେ କେବେବି କଫି ସେବନ କରନ୍ତୁ ନାହିଁ।

ମନେ ରଖନ୍ତୁ କେବେ ବି ବଡ଼ କପ୍‌ରେ କଫି ସେବନ କରନ୍ତୁ ନାହିଁ। ଏହାଦ୍ୱାରା ଏକ ସଙ୍ଗେ ବହୁ ମାତ୍ରାରେ କ୍ୟାଫିନ୍‌ ଆପଣଙ୍କ ଶରୀରକୁ ଚାଲିଯିବ । ତେଣୁ ସବୁବେଳେ ଛୋଟ କପ୍‌ରେ ଅଳ୍ପ ମାତ୍ରାରେ କଫି ପିଅନ୍ତୁ।