‘ଇସ୍ରୋ’ ବୈଜ୍ଞାନିକ ଚନ୍ଦ୍ରଯାନ ୩ ଉତ୍‌କ୍ଷେପଣ ପୂର୍ବରୁ ତିରୁପତି ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା

‘ଇସ୍ରୋ’ ବୈଜ୍ଞାନିକ ଚନ୍ଦ୍ରଯାନ ୩ ଉତ୍‌କ୍ଷେପଣ ପୂର୍ବରୁ ତିରୁପତି ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା

ତିରୁପତି: ଉତ୍‌କ୍ଷେପଣ ପୂର୍ବରୁ ଆଜି ‘ଇସ୍ରୋ’ର ଦଳେ ବୈଜ୍ଞାନିକ ‘ଚନ୍ଦ୍ରଯାନ-୩’ର ଗୋଟାଏ ଛୋଟ ‘ମଡେଲ୍‌’ ନେଇ ତିରୁପତି ଭେଙ୍କଟାଚଳାପତି ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅପରାହ୍ଣରେ ‘ଇସ୍ରୋ’ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ ଅର୍ଗାନାଇଜେସନ୍‌) ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଛି।

ଶ୍ରୀହରିକୋଟା ଅନ୍ତର୍ଗତ ‘ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌’ରୁ ଜୁଲାଇ ୧୪ ତାରିଖ ଅପରାହ୍ଣ ୨.୩୫ରେ ‘ଇସ୍ରୋ’ ଟିମ୍‌ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରିବ। ସ୍ପେସ୍‌ ସେଣ୍ଟର୍‌ରେ ଥିବା ‘ଜିଏସ୍‌ଏଲ୍‌ଭି’ ମାର୍କ-୩’ ‘ହେଭି ଲିଫ୍‌ଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ରେ ଏହି ଚନ୍ଦ୍ରଯାନ ଉତ୍‌କ୍ଷେପଣ କରାଯିବ। ଏଥିରେ ରହିଛି ଗୋଟିଏ ଲ୍ୟାଣ୍ଡର୍‌ ଓ ରୋଭର୍‌। ଏହି ଚନ୍ଦ୍ରାଭିଯାନ ଲାଗି ଆଜିଠାରୁ ‘ଓଲଟ ଗଣନ’ ବା ‘କାଉଣ୍ଟ୍‌ଡାଉନ୍‌’ ଆରମ୍ଭ ହେବ।

ସୂଚନାଯୋଗ୍ୟ, ‘ଚନ୍ଦ୍ରଯାନ-୨’ ଅଭିଯାନ ସମ୍ମୁଖୀନ ହୋଇଥିବା ଚାଲେଞ୍ଜ୍‌ ପ୍ରତି ଧ୍ୟାନ ଦିଆଯାଇ ‘ଚନ୍ଦ୍ରଯାନ-୩’କୁ ପ୍ରସ୍ତୁତ କରାଯାଇଛି। ଉତ୍‌କ୍ଷେପଣର ୧୬ ମିନିଟ୍‌ ପରେ ଏହାର ‘ପ୍ରପ୍ୟୁଲ୍‌ସନ୍‌ ମୋଡ୍ୟୁଲ୍‌’ ରକେଟ୍‌ରୁ ପୃଥକ ହୋଇଯିବ ବୋଲି ଆଶା କରାଯାଉଛି। ତା’ପରେ ଏହା ପୃଥିବୀ ଚତୁଃପାର୍ଶ୍ବରେ ୫/୬ ଥର ଘୂରିବା ପରେ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିବ।