ବିଜେପି ପାଇଁ ଆହ୍ୱାନ ଛାତ୍ର ସଂସଦ ନିର୍ବାଚନ

ବିଜେପି ପାଇଁ ଆହ୍ୱାନ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଛଅ ବର୍ଷ ଧରି ଛାତ୍ର ସଂସଦରେ ଶୁଭୁନାହିଁ ଅମୁକ ଭାଇ ଜିନ୍ଦାବାଦର ନାରା  । ଖାଲି ପତିଆରା ଦେଖାଇବା ପାଇଁ କିଛି ଛାତ୍ରନେତା ପୋଷ୍ଟର ବ୍ୟାନରରେ ହିଁ ନିଜକୁ ସୀମିତ ରଖିଦେଇଛନ୍ତି  । ନିର୍ବାଚନ ହେଉନଥିବାରୁ କ୍ୟାମ୍ପସ ବି ମାନ୍ଦା ହୋଇଯାଇଛି  । ଏଥର କିନ୍ତୁ ନିର୍ବାଚନ ହେବବୋଲି ସରକାର ସଂକେତ ଦେଇଛନ୍ତି  । ଯାହାକୁ ନେଇ ଛାତ୍ରନେତାମାନେ ଉତ୍ସାହିତ ହୋଇଯାଇଛନ୍ତି  । ତେବେ ଛାତ୍ର ସଂସଦ ନିର୍ବାଚନ ଏବେ ବିଜେପି ପାଇଁ ଆହ୍ୱାନ ସୃଷ୍ଟିକରିଛି  । କାହିଁକିନା ଏହା ବିଜେପି ସରକାର ଗଠନ ପରେ ପ୍ରଥମ ନିର୍ବାଚନ ହେବ  ।

 

ଏସବୁ ଭିତରେ ରାଜନୀତିକ ଫାଇଦାକୁ ନେଇ ବି ଅଙ୍କକଷା ଆରମ୍ଭ ହୋଇଗଲାଣି  । ଦଳରେ ଫାଟ ହେବା ଆଶଙ୍କାରେ ବିଜେଡ଼ି ଛାତ୍ର ନିର୍ବାଚନ ଚାହୁଁନଥିଲା  । ଏବେ ବିଜେପି ସରକାର ପାଦେ ଆଗେଇଥିବାରୁ  ଏହା ଦଳକୁ ଫାଇଦା ଦେବ ନା ଘାଟାରେ ପକାଇବ ସେନେଇ ବି ଚର୍ଚ୍ଚା ହେବା ସ୍ୱାଭାବିକ  । ୨୦୧୭ ସେପ୍ଟେମ୍ବରରେ ଶେଷ ଥର ପାଇଁ ନିର୍ବାଚନ ହୋଇଥିଲା  । ଏହାପରେ କ୍ୟାମ୍ପସରେ ହିଂସା ଯୋଗୁଁ ୨୦୧୮ରେ ନିର୍ବାଚନ ବନ୍ଦ କରାଯାଇଥିଲା  । ପରେପରେ କରୋନା ଓ ଅନ୍ୟ ଆଳ ଦେଖାଇ ତତ୍କାଳୀନ ବିଜେଡ଼ି ସରକାର ଆଉ ନିର୍ବାଚନ କରିନଥିଲେ  । ଛାତ୍ର ସଂଗଠନଗୁଡ଼ିକ ଦାବି କରିଥିଲେ ବି କର୍ଣ୍ଣପାତ କରିନଥିଲେ  । ଯାହାକୁ ନେଇ ବିଜେଡ଼ିର ଛାତ୍ରନେତାମାନେ ବି ମନେମନେ ଅସନ୍ତୁଷ୍ଟ ଥିଲେ  । ତେବେ ଦଳରେ ଛାତ୍ର ନିର୍ବାଚନକୁ ନେଇ ଫାଟ ନହେଉ ବୋଲି ବିଜେଡ଼ି ଚାହୁଁଥିଲା  । ସେତେବେଳେ ବିଜେଡ଼ି ବେଶ୍‌ ମଜବୁତ ସ୍ଥିତିରେ ଥିଲା  । ଯଦି ଛାତ୍ର ସଂଗଠନ ନିର୍ବାଚନ ହୋଇଥା’ନ୍ତା ତେବେ ଦଳରେ କନ୍ଦଳ ହୋଇଥା’ନ୍ତା  । ନେତା ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ ଲଢ଼ାଇଥା’ନ୍ତେ  । ଯାହାକୁ ନେଇ ବିଜେଡ଼ି ନେତାଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ବି ବଢ଼ିବାର ଆଶଙ୍କା ରହିଥିଲା  । ସେହିପରି କ୍ୟାମ୍ପସରେ ହିଂସାକାଣ୍ଡ ଘଟିଥିଲେବି ସରକାର ବଦନାମ୍‌ ହୋଇଥା’ନ୍ତେ  । ରାଜନୀତିକ ଦୃଷ୍ଟିକୋଣରୁ ବିଜେଡ଼ି ଘାଟାରେ ପଡ଼ିଥିବାରୁ ଦଳ ପ୍ରତ୍ୟକ୍ଷ କ୍ୟାମ୍ପସ ରାଜନୀତିରୁ ଦୂରେଇ ରହିଥିଲା  ।

ଏବେ ବିଜେପି ସରକାର ଆସିବା ପରେ ଆଭିମୁଖ୍ୟ ବଦଳିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଛାତ୍ର ରାଜନୀତିରୁ ଆସିଛନ୍ତି  । ସେହିପରି ଛାତ୍ର ସଂସଦ ନିର୍ବାଚନ ପାଇଁ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ମଧ୍ୟ କୋର୍ଟକୁ ଯାଇଥିଲା  । ବାସ୍ତବରେ ବିଜେପିର ଛାତ୍ର ଶାଖା ନାହିଁ  । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅନ୍ୟତମ ଶାଖା ଏବିଭିପିକୁ ହିଁ ବିଜେପିର ଛାତ୍ର ସଂଗଠନ ବୋଲି ଆଖ୍ୟାୟିତ କରାଯାଏ  । ବିଜେପି ରାଜନୀତି ସହ ଏବିଭିପିର ପ୍ରତ୍ୟକ୍ଷ ଭାବେ ଦେଣନେଣ ନାହିଁ  । କାହିଁକିନା କଂଗ୍ରେସ କିମ୍ବା ବିଜେଡ଼ିରେ ଦଳର ନେତା ହିଁ ଛାତ୍ର ନେତା ବାଛୁଥିଲେ  । ତେବେ ଏବିଭିପିର ନେତା ଆରଏସଏସ ଦ୍ୱାରା ହିଁ ବଛା ଯାଇଥାଏ  ।

୨୦୨୪ ନିର୍ବାଚନରେ ବିଜେପି ସରକାରକୁ ଆସିଥିଲେବି ବିଜେଡ଼ିର ସଂଗଠନକୁ ଅଣଦେଖା କରାଯାଇପାରିବ ନାହିଁ  । ଦଳ ବିଜେପି ଠାରୁ ବି ଅଧିକ ଭୋଟ୍‌ ପାଇଛି  । ସେହିପରି ବିଜେପି ସରକାର ଏଯାଏଁ ସଂକଳ୍ପ ପତ୍ର ଆଧାରରେ ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ  । ନୂଆ ଓ’ କାର୍ଯ୍ୟକ୍ରମ ଜରିଆରେ ପୂର୍ବରୁ ବିଜେଡ଼ି କ୍ୟାମ୍ପସରେ ପହଁଚିସାରିଛି  । ଏବେବି ବିଜେଡ଼ିର ଛାତ୍ର ସଂଗଠନ ଅନ୍ୟ ଦୁଇ ଦଳ ଅପେକ୍ଷା ଭଲ ସ୍ଥିତିରେ ରହିଛି  । ଗୋଷ୍ଠୀକନ୍ଦଳ ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ହିଁ ବିଜେଡ଼ି ହାରି ଯାଇଥିଲା  । ହାରିଯିବା ପରେ ବିଜେଡ଼ି ନେତାଙ୍କ ମନରେ ଚେତା ପଶିଛି  । ଏବେ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ଯୋଜନା କରିଛନ୍ତି  । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଧାରରେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି  । ଯଦି ଛାତ୍ର ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରେ ତେବେ ତାହା ନିଶ୍ଚିତ ଭାବେ ବିଜେପି ସରକାରକୁ ଝଟକା ଦେବ  । ଦଳକୁ ଏକ ମାନସିକ ଚାପରେ ପକାଇଦେବ  । କିନ୍ତୁ ବିଜେପି ସରକାର ଆସିବା ପରେ ଯଦି ନୂଆ ପୀଢ଼ିର ଛାତ୍ରମାନେ ଏବିଭିପିକୁ ସହଯୋଗ କରନ୍ତି ତେବେ ବିଜେପି ବି ଢେ଼ର ସଫଳତା ପାଇପାରିବ  । ଯାହାକି ରାଜ୍ୟ ରାଜନୀତିର ମୋଡ଼ ବଦଳାଇପାରିବ  । ଏବେ ବିଜେପି ଘାଟାରେ ପଡ଼ିବ ନା ଲାଭରେ ରହିବ ଦଳ ସେନେଇ ଅଙ୍କକଷା ଆରମ୍ଭ କରିଦେଇଛି  ।