ଗୋଛିକଟା ପାଇଁ ହାରିଲା ବିଜେଡ଼ି ! ଦେବାଶିଷଙ୍କ ଲୋକେ ମୋତେ ହରାଇବାକୁ ଲାଗିଥିଲେ : ସମ୍ବିତ
ଭୁବନେଶ୍ୱର : ୧୯୯୫ରେ ତତ୍କାଳୀନ ଜନତା ଦଳ ନେତାମାନେ ନିଜ ନିଜ ଦଳୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଗୋଛି କାଟିଥିଲେ । ସେଥିପାଇଁ ବିଜୁବାବୁଙ୍କ ଜନତା ଦଳ ଦୁର୍ଗ ଭୁଷୁଡ଼ି ଯାଇଥିଲା । ଏଥର ବି ସମାନ ସ୍ଥିତି ସୃଷ୍ଟି ହୋଇଥିଲା । ବିଜେଡ଼ିକୁ ହରାଇବା ପାଇଁ ବିଜେଡ଼ି ନେତାମାନେ ହିଁ ଜାଲ ବିଛାଇଥିଲେ ।
ଯାହାର ସଦ୍ୟତମ ନମୁନା ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଦେଇଛନ୍ତି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ସମ୍ବିତ କହିଛନ୍ତିଯେ, ମୋତେ ହରାଇବା ପାଇଁ ଦେବାଶିଷଙ୍କ ଲୋକମାନେ ଲାଗି ପଡ଼ିଥିଲେ । ସେମାନେ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରୁଥିଲେ । ଏନେଇ ମୁଁ ତାଙ୍କୁ ଜଣାଇଥିଲି । ହେଲେ ସେ କିଛି ପଦକ୍ଷେପ ନେଇନଥିଲେ ବୋଲି କହିଛନ୍ତି । ଅର୍ଥାତ୍ ଦେବାଶିଷଙ୍କ ଭଳି ଅନେକ ନେତା ମଧ୍ୟ ନିଜ ନିଜ ଦଳୀୟ ନେତାଙ୍କୁ ହରାଇବାକୁ ଚାହୁଁଥିବେ ବୋଲି ଅନୁମାନ କରାଯାଇପାରେ ।
ସେହିପରି ସମ୍ବିତ କହିଛନ୍ତିଯେ, ଢୋଲ ଭିତରେ ମୂଷାମାନେ ଥିଲେ । ବିଜେଡ଼ି ଅମାରରେ ଧାନ ଥିଲା ବୋଲି ସେମାନେ ଉତପାତ କରୁଥିଲେ । ଏବେ ଅମାରରେ ଧାନ ସରିଯାଇଥିବାରୁ ସେମାନେ ପଳାଇବେ ବୋଲି କହିଛନ୍ତି । ତେବେ ବିଜେଡ଼ିକୁ ଲୁଟିଥିବା ମୂଷାମାନେ କିଏ ସେନେଇ ସେ କିଛି କହିନାହାନ୍ତି ।
ଗତ କିଛିଦିନ ଧରି ବିଜେଡ଼ିରେ ଆରୋପ ପ୍ରତ୍ୟାରୋପ ବଢ଼ିବାରେ ଲାଗିଛି । କଟକ ରାଜନୀତିରେ ପ୍ରଭାତ ବିଶ୍ୱାଳ ବନାମ ଦେବାଶିଷ ସାମନ୍ତରାୟଙ୍କ କଳି ଏବେ ଜୋର ଧରିବାରେ ଲାଗିଛି । ତେବେ ଦେବାଶିଷଙ୍କ ମନ୍ତବ୍ୟକୁ ନେଇ ଦଳରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏମିତିକି ଦେବାଶିଷଙ୍କୁ ତାଗିଦ୍ କରାଯାଇଥିବା ନେଇ କୁହାଯାଇଛି । ଯେଉଁଥିପାଇଁ ଦେବାଶିଷ ଆଉ ପାଟି ନଖୋଲି ନୀରବ ରହିଛନ୍ତି ।