ବଜେଟକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଆଜି ଉପସ୍ଥାପନ ହେବାକୁ ଥିବା ଅନ୍ତରୀଣ ବଜେଟକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବଜେଟକୁ ମଞ୍ଜୁରୀ ମିଳିଛି । ଆଜି ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ । ନିର୍ବାଚନ ଆଉ କିଛି ମାସ ବାକି ଥିବାରୁ ଚଳିତ ବଜେଟରେ ନିର୍ବାଚନୀ ଛିଟା ଦେଖିବାକୁ ମିଳିବ । ଜନମତକୁ ଟାଣିବା ପାଇଁ ମୋଦି ସରକାର କେତେକ ବଡ଼ ଘୋଷଣା କରିବେ ବୋଲି ଆଶା କରାଯାଉଛି ।
ଚଳିତ ବର୍ଷ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟ ଉପସ୍ଥାପିତ କରିବେ । ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରାଯିବ । ଆଗାମୀ ବଜେଟରେ ଟିକସ ଉପରେ ରିହାତି ମିଳିପାରେ ବୋଲି ଖବର ପ୍ରକାଶ ପାଇଛି । ସେହିପରି ମହିଳା ଭୋଟର ଅନେକ ରାଜ୍ୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ ସେମାନଙ୍କ ପାଇଁ କିଛି ନୂଆ ଯୋଜନା ଆସିବ । ବିଶେଷକରି ମହିଳା ଚାଷୀଙ୍କୁ ପିଏମ କିଷାନ ଯୋଜନାରେ ଦୁଇଗୁଣା ସହାୟତା ରାଶି ମିଳିବ ବୋଲି କୁହାଯାଉଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ହୋଇଥିବାରୁ ସବୁ ବର୍ଗଙ୍କୁ ବଜେଟରେ ଗୁରୁତ୍ୱ ମିଳିବ ।
ଆୟକର ଟିକସ ଦାତାମାନେ ଆୟକର ସ୍ଳାବ ବଢ଼ିବ ବୋଲି ଆଶା ରଖିଥିବାବେଳେ ଏମଏସଏମଇ କ୍ଷେତ୍ର ପାଇଁ କିଛି ଆକର୍ଷଣୀୟ ଘୋଷଣା ହୋଇପାରେ । ସେହିପରି କିଛି ନୂଆ ଟ୍ରେନ ଚଳାଚଳ ମଧ୍ୟ କରାଯିବ । ନିଯୁକ୍ତି ସୁଯୋଗ ବୃଦ୍ଧି, ଗୃହ ଯୋଜନା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କିଛି ଯୋଜନା ହେବବୋଲି ମଧ୍ୟବିତମାନେ ଆଶା ରଖିଛନ୍ତି ।